ଅର୍ଥନୈତିକ ସର୍ଭେ ରିପୋର୍ଟ: ଦରବୃଦ୍ଧି ପାଇଁ ଜଳବାୟୁ ଦାୟୀ

on7
Please follow and like us:

ନୂଆଦିଲ୍ଲୀ: ୨୦୨୩-୨୪ରେ ଭାରତୀୟ ଅର୍ଥନୀତିର ଅଭିବୃଦ୍ଧି ହାର ୬.୫-୭ ପ୍ରତିଶତ ରହିବ। ଆଜି ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥାପନ କରିଥିବା ଅର୍ଥନୈତିକ ସର୍ଭେ ରିପୋର୍ଟରେ ଏଭଳି ଆକଳନ କରାଯାଇଛି। ଅର୍ଥମନ୍ତ୍ରୀ ଦାବି କରିଛନ୍ତି ଯେ ବିଶ୍ବର ଆହ୍ବାନପୂର୍ଣ୍ଣ ଭୌଗୋଳିକ ଏବଂ ରାଜନୈତିକ ପରିସ୍ଥିତି ସତ୍ତ୍ବେ ଭାରତର ଅର୍ଥନୀତି ଦୃଢ଼ ରହିଛି। ସରକାରଙ୍କ ଉପଯୁକ୍ତ ବିତ୍ତୀୟ ନୀତି ଓ ରିଜର୍ଭ ବ୍ୟାଙ୍କର ଆର୍ଥିକ ନୀତି କାରଣରୁ କରୋନା ମହାମାରୀ ପରେ ଭାରତୀୟ ଅର୍ଥନୀତି ସୁସଂଗଠିତ ହେବାରେ ଲାଗିଛି। ୨୦୨୪-୨୫ ପରେ ମଧ୍ୟ ଭାରତୀୟ ଅର୍ଥନୀତିର ବିକାଶ ଭଲ ରହିବ। ତେବେ ବିଶ୍ବର ରାଜନୈତିକ ଓ ଭୌଗୋଳିକ ସ୍ଥିତି, ଆର୍ଥିକ ବଜାର ଏବଂ ଜଳବାୟୁଜନିତ ବିପଦ ଉପରେ ଏହା ନିର୍ଭରଶୀଳ ରହିବ। ୨୦୨୩ରେ ବିଶ୍ବର ଅର୍ଥନୈତିକ ଅଭିବୃଦ୍ଧି ୩.୨ ପ୍ରତିଶତ ରହିଥିବା ସତ୍ତ୍ବେ ଭାରତ ଉଚ୍ଚ ହାରରେ ଆଗକୁ ବଢ଼ିପାରିଛି ବୋଲି ମତ ରଖିଛନ୍ତି ନିର୍ମଳା ସୀତାରମଣ।

ଅନ୍ୟପକ୍ଷରେ ଅର୍ଥନୈତିକ ସର୍ଭେ ରିପୋର୍ଟରେ ଅନେକ ବିଷୟକୁ ନେଇ ଚିନ୍ତା ପ୍ରକଟ କରାଯାଇଛି। ଏଥିରେ କୁହାଯାଇଛି ଯେ ଚାଷୀଙ୍କ ଆୟ ବଢ଼ାଇବା ଲାଗି କୃଷି କ୍ଷେତ୍ରରେ ହେଉଥିବା ନ‌ିବେଶ ଯଥେଷ୍ଟ ନୁହେଁ। କିନ୍ତୁ ଅର୍ଥନୀତିକୁ ଗତି ପ୍ରଦାନ କରିବାରେ ଏବେବି କୃଷି କ୍ଷେତ୍ରର କ୍ଷମତା ରହିଛି। ଯୁବପିଢ଼ିଙ୍କ ଉପରେ ଅସ୍ବାସ୍ଥ୍ୟକର ଖାଦ୍ୟ, ମେଦବହୁଳତା ଓ ସାମାଜିକ ଗଣମାଧ୍ୟମ ଯୋଗୁଁ ମାନସିକ ସ୍ବାସ୍ଥ୍ୟ ନେଇ ମଧ୍ୟ ରିପୋର୍ଟ ସତର୍କ କରାଇଛି। ପାଠପଢ଼ା ଚାପ, ପାରିପାର୍ଶ୍ବିକ ପରିବେଶ ଆଦି କାରଣରୁ ପିଲାମାନେ ବିଷାଦଗ୍ରସ୍ତ ହେବା ଅର୍ଥନୀତି ପାଇଁ ଶୁଭଙ୍କର ନୁହେଁ ବୋଲି ଚେତାଇ ଦେଇଛି ଅର୍ଥନୈତିକ ସର୍ଭେ ରିପୋର୍ଟ। ଦରବୃଦ୍ଧି ସମ୍ପର୍କରେ ରିପୋର୍ଟରେ କୁହାଯାଇଛି ଯେ ଖରାପ ପାଣିପାଗ ଚାଷ କାମକୁ ବିଗାଡ଼ୁଛି। ଚାଷ ସମୟରେ ପ୍ରବଳ ଖରା, ଅମଳ ସମୟରେ ବର୍ଷା ଫସଲ ନଷ୍ଟ କରୁଛି। ଅତ୍ୟଧିକ ବର୍ଷା ପାଇଁ ଉତ୍ପାଦିତ ସାମଗ୍ରୀ ପରିବହନ ପ୍ରଭାବିତ ହେଉଛି। ଏସବୁ କାରଣ ଲାଗି ପନିପରିବା ଓ ଡାଲି ମହଙ୍ଗା ରହୁଛି।

Please follow and like us:

Leave a Reply

Your email address will not be published. Required fields are marked *