ପ୍ରଶିକ୍ଷକ ହେବା ପରେ ଗମ୍ଭୀରଙ୍କ ପ୍ରଥମ ସାମ୍ବାଦିକ ସମ୍ମିଳନୀ: ପାଣ୍ଡ୍ୟାଙ୍କ ଫିଟନେସ୍‌ ପାଇଁ ସୂର୍ଯ୍ୟ ଅଧିନାୟକ

on10
Please follow and like us:

ମୁମ୍ବାଇ: ଦୁଇଟି ସୀମତ ଓଭର ଶୃଙ୍ଖଳା ଖେଳିବା ଲାଗି ଶ୍ରୀଲଙ୍କା ଗସ୍ତ କରିବା ପୂର୍ବରୁ ଭାରତୀୟ କ୍ରିକେଟ୍ ଦଳର ନୂଆ ପ୍ରଶିକ୍ଷକ ତଥା ପୂର୍ବତନ ବିଶ୍ବକପ୍ ବିଜୟୀ ଓପନର୍ ଗୌତମ ଗମ୍ଭୀର ଟିମ୍ ଇଣ୍ଡିଆର ଗଠନ, ଯୁବ ଖେଳାଳିଙ୍କୁ ସୁଯୋଗ, ବରିଷ୍ଠଙ୍କୁ ନେଇ ସେ କରିଥିବା ଭବିଷ୍ୟତ ଯୋଜନା ତଥା ଆହତ ଖେଳାଳିଙ୍କ ସମ୍ଭାବ୍ୟ ପ୍ରତ୍ୟାବର୍ତ୍ତନକୁ ନେଇ ବିସ୍ତୃତ ବିବରଣୀ ପ୍ରଦାନ କରିଛନ୍ତି। ପ୍ରଶିକ୍ଷକ ନିଯୁକ୍ତ ହେବା ପରେ ଗମ୍ଭୀର ସୋମବାର ମୁମ୍ବାଇରେ ପ୍ରଥମ ସାମ୍ବାଦିକ ସମ୍ମିଳନୀ କରି ଭାରତୀୟ ଦଳ ସହ ଦୁଇ ତାରକା ଖେଳାଳି ରୋହିତ ଶର୍ମା ଓ ବିରାଟ ‌କୋହଲିଙ୍କ ଏକଦିବସୀୟ କ୍ରିକେଟ୍ ଭବିଷ୍ୟତ ନେଇ ସୃ‌‌‌ଷ୍ଟି ହୋଇଥିବା ଦ୍ବନ୍ଦ୍ବ ଓ ସଂଶୟ ବି ଦୂର କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ଚୟନକର୍ତ୍ତା ତଥା ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର୍‌ ଅଜିତ ଅଗରକର ଉପସ୍ଥିତ ରହି ଗଣମାଧ୍ୟମ ପ୍ରତିନିଧିଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଛନ୍ତି। ରୋହିତ ଶର୍ମା ଟ୍ବେଣ୍ଟି-୨୦ରୁ ଅବସର ଘୋଷଣା କରିବା ପରେ ଅଲରାଉଣ୍ଡର୍ ତଥା ଉପଅଧିନାୟକ ହାର୍ଦିକ ପାଣ୍ଡ୍ୟା ଭାରତୀୟ ଦଳର ଅଧିନାୟକ ନିଯୁକ୍ତ ହେବାର ସମ୍ଭାବନା ଅଧିକ ଥିଲା। ହେଲେ ଶେଷ ମୁହୂର୍ତ୍ତରେ ସୂର୍ଯ୍ୟକୁମାର ୟାଦବ ବାଜି ମାରି ନେଇଥିଲେ। ଅଚାନକ ଏଭଳି ନିଷ୍ପତ୍ତି ନେବାର କାରଣ ଉପରୁ ପରଦା ଉଠାଇ ଉଭୟ ଗମ୍ଭୀର ଓ ଅଗରକର କହିଛନ୍ତି, ପାଣ୍ଡ୍ୟାଙ୍କ ଦୁର୍ବଳ ଫିଟନେସ୍ ତାଙ୍କ ବିପକ୍ଷରେ ଯାଇଛି। ସେ ବାରମ୍ବାର ଆହତ ହେଉଥିବାରୁ ଆଗାମୀ ବିଶ୍ବକପ୍ ତଥା ଭାରତୀୟ ଦଳକୁ ଜଣେ ସ୍ଥା‌ୟୀ ଅଧିନାୟକ ଦେବା ଲାଗି ସୂର୍ଯ୍ୟଙ୍କୁ ଆମେ ଅଧିନାୟକ ଭାବେ ବାଛିଛୁ। ଅଲରାଉଣ୍ଡର୍‌ ରବୀନ୍ଦ୍ର ଜାଡ଼େଜାଙ୍କୁ ଦିନିକିଆ ଦଳରୁ ବାଦ୍ ଦିଆଯାଇନି। ବରଂ ତାଙ୍କୁ ବିଶ୍ରାମ ଦିଆଯାଇଛି।

ରୋହିତ ଓ କୋହଲିଙ୍କ ଏକଦିବସୀୟ ଭବିଷ୍ୟତ ଉପରେ ‌ହୋଇଥିବା ପ୍ରଶ୍ନର ଉତ୍ତର ଦେଇ ଗମ୍ଭୀର କହିଥିଲେ ଯେ ଟ୍ବେଣ୍ଟି-୨୦ ହେଉକି ଏକଦିବସୀୟ ବିଶ୍ବକପ୍, ବଡ଼ ପ୍ରତିଯୋଗିତାରେ ଶ୍ରେଷ୍ଠ ପ୍ରଦର୍ଶନ କିଭଳି ଦିଆଯାଏ ତାର ପ୍ରମାଣ ଉଭୟ କୋହଲି ଓ ରୋହିତ ଦେଇସାରିଛନ୍ତି। ସେମାନଙ୍କ ନିକଟରେ ଆହୁରି ଅନେକ କ୍ରିକେଟ୍ ବାକି ଅଛି। ଚାମ୍ପିଅନ୍ସ ଟ୍ରଫି ଓ ଅଷ୍ଟ୍ରେଲିଆ ଗସ୍ତରେ ଦୁଇ ଜଣ ଯାକ ନିଶ୍ଚିତ ଭାବେ ନିର୍ଣ୍ଣାୟକ ଭୂମିକା ନେବେ। ତେବେ ୨୦୨୭ ଦିନିକିଆ ବିଶ୍ବକପ୍ ଖେଳିବାକୁ ହେଲେ ସେମାନଙ୍କୁ ଫିଟ୍‌ନେସ୍ ବଜାୟ ରଖିବାକୁ ହେବ। ସେହିଭଳି ଏଣିକି କୌଣସି ଖେଳାଳି ନିଜ ମନ ମୁତାବକ ବିଶ୍ରାମ ନେଇପାରିବେନି। ଏଥିଲାଗି ସେମାନଙ୍କୁ ଠିକ୍ କାରଣ ଦେବାକୁ ହେବ। ଦୀର୍ଘ ମିଆଦି ଯୋଜନା ଅନ୍ତର୍ଗତ ଶୁବମନ ଗିଲ୍‌ଙ୍କୁ ଉଭୟ ଦିନିକିଆ ଓ ଟ୍ବେଣ୍ଟି-୨୦ ଦଳର ଉପଅଧିନାୟକ କରାଯାଇଛି। ଶୁବମନ ତିନିଟି ଯାକ ଫର୍ମାଟ୍‌ରେ ଖେଳିଲା ଭଳି ଖେଳାଳି। ଏଣୁ ଆମେ ତାଙ୍କୁ ତାଙ୍କ ନେତୃତ୍ବ ଶୈଳୀକୁ ଆହୁରି ଶାଣିତ କରିବାକୁ ପର୍ଯ୍ୟାପ୍ତ ସମୟ ଦେବାକୁ ଚାହୁ ବୋଲି କହିଥିଲେ ଅଗରକର।

Please follow and like us:

Leave a Reply

Your email address will not be published. Required fields are marked *