ଆଉ ୧ ଦିନ: ନଈ ଭିତରେ ଉଦ୍‌ଘାଟନୀ ସମାରୋହ

on6
Please follow and like us:

ପ୍ୟାରିସ୍‌: ଅଲିମ୍ପିକ୍ସ ଇତିହାସରେ ପ୍ରଥମ ଥର ପାଇଁ ଏହାର ଉଦ୍‌ଘାଟନୀ କାର୍ଯ୍ୟକ୍ରମ କୌଣସି ଷ୍ଟାଡିୟମ୍‌ରେ ହେବ ନାହିଁ। ବରଂ ସ୍ଥାନୀୟ ସିନ୍‌ ନଦୀରେ ସଂପୂର୍ଣ୍ଣ ପ୍ୟାରିସ୍‌ ସହରବ୍ୟାପୀ ଏହି ଉଦ୍‌ଘାଟନୀ ସମାରୋହ ଚାଲିବ। ଯେଉଁଥିରେ ପାଖାପାଖି ୨୦୦ରୁ ଊର୍ଦ୍ଧ୍ବ କ୍ରୀଡ଼ାବିତ୍‌ଙ୍କୁ ନେଇ ଏକାଧିକ ଡଙ୍ଗା ନଦୀରେ ଚାଲିବ। ସହର ଭିତରେ ଯାଇଥିବା ଏହି ନଦୀର ଉଭୟ ପାର୍ଶ୍ବରେ ବିଭିନ୍ନ ଦେଶର କ୍ରୀଡ଼ାବିତ୍‌ଙ୍କୁ ଉତ୍ସାହିତ କରିବାକୁ ଦର୍ଶକଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ମଧ୍ୟ କରାଯାଇଛି। ଫଳରେ ସଂପୂର୍ଣ୍ଣ ସହର ଏକ ବିରାଟ ଷ୍ଟାଡିୟମ୍‌ରେ ପରିଣତ ହୋଇଯିବ ବୋଲି ଆୟୋଜନ କମିଟି ଅଧ୍ୟକ୍ଷ ଟନି ଇଷ୍ଟାନ୍‌ଗ୍ବେଟ୍‌ କହିଛନ୍ତି।

ଆୟୋଜକଙ୍କ ସୂଚନା ଅନୁସାରେ, ‌କ୍ରୀଡ଼ାବିତ୍‌ଙ୍କୁ ନେଇ ଡଙ୍ଗାଗୁଡ଼ିକ ପଣ୍ଟ୍‌ ଡି’ ଅଷ୍ଟରଲିଜ୍‌ ବ୍ରିଜ୍‌ ନିକଟରୁ ବାହାରିବ। ଏହି ଡଙ୍ଗା ଯାତ୍ରା ସିନ୍‌ ନଦୀରେ ପାଖାପାଖି ୬ କିଲୋମିଟର ପର୍ଯ୍ୟନ୍ତ ଚାଲିବ। ଯାହାମଧ୍ୟରେ ୧୮ ବ୍ରିଜ୍‌ ଓ ଅନେକ ଗୁରୁତ୍ବପୂର୍ଣ୍ଣ ସ୍ଥାନକୁ ଅତିକ୍ରମ କରିବାକୁ ହେବ। ସୂର୍ଯ୍ୟାସ୍ତ ହେବା ପୂର୍ବରୁ ଏହି ଯାତ୍ରା ପଣ୍ଟ ଡି’ ଲିନାଠାରେ ପହଞ୍ଚିବ। ଯାହାକି ଆଇଫେଲ୍‌ ଟାୱାରର ଖୁବ୍‌ ନିକଟତମ ସ୍ଥାନ। ସ୍ଥାନୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ଏହି ସମାରୋହରେ ୮୦ରୁ ୧୦୦ ଡଙ୍ଗା ବ୍ୟବହୃତ ହେବ। ଡଙ୍ଗାଗୁଡ଼ିକରେ ୨୦୬ଟି ଜାତୀୟ ଅଲିମ୍ପିକ୍ସ କମିଟିର କ୍ରୀଡ଼ାବିତ୍‌ମାନେ ଉପସ୍ଥିତ ରହିବେ। ଦର୍ଶକମାନଙ୍କ ପାଇଁ ମଧ୍ୟ ନଦୀର ଉଭୟ ପାର୍ଶ୍ବରେ ବସିବା ପାଇଁ ଅସ୍ଥାୟୀ ବ୍ୟବସ୍ଥା କରାଯାଇଛି। ଡଙ୍ଗା ପରେଡ୍‌ ଦେଖିବା ପାଇଁ ୩ ଲକ୍ଷ ୨୬ ହଜାର ଟିକେଟ୍‌ ସାଧାରଣ ଦର୍ଶକଙ୍କ ପାଇଁ ଉପଲବ୍ଧ ରହିଛି। ଯାହାମଧ୍ୟରୁ ୨ ଲକ୍ଷ ୨୨ ହଜାର ଟିକେଟ୍‌ ମାଗଣାରେ ବଣ୍ଟାଯିବାକୁ ଆୟୋଜକ ନିଷ୍ପତ୍ତି ନେଇଛନ୍ତି। ଏଥିସହିତ ପ୍ୟାରିସ୍‌ ସହର ଭିତରେ ୮ଟି ବଡ଼ ପରଦା ଲଗାଯାଇ ଡଙ୍ଗା ଯାତ୍ରାର ସିଧାପ୍ରସାରଣ କରାଯିବ।

Please follow and like us:

Leave a Reply

Your email address will not be published. Required fields are marked *