ଏବେ ମିଳିବନି ନୂଆ ରାସନକାର୍ଡ : ପୁରୁଣା ହିତାଧିକାରୀଙ୍କ ‘ଆଧାର’ ଯାଂଚ କରିବେ ସରକାର

on7
Please follow and like us:

ରାଜ୍ୟରେ ଅନେକ ଭୂତ ହିତାଧିକାରୀ ରାସନ କାର୍ଡରେ ସାମିଲ ଥିବାର ଅଭିଯୋଗ ପରେ ରାଜ୍ୟ ସରକାର ସବୁ ରାସନ କାର୍ଡଧାରୀଙ୍କ ତଥ୍ୟକୁ ଯାଂଚ କରିବାକୁ ନିଷ୍ପତ୍ତି ନେଇଛନ୍ତି । ହିତାଧିକାରୀଙ୍କ ତଥ୍ୟକୁ ସ୍ୱଚ୍ଛ ଓ ପାରଦର୍ଶୀ କରିବା ଉଦ୍ଦେଶ୍ୟରେ ସେମାନଙ୍କ ଆଧାର କାର୍ଡ ସହାୟତାରେ ଅନଲାଇନରେ ଇକେୱାଇସି ଯାଂଚକରିବେ । ଏହି ପ୍ରକ୍ରିୟା ଶେଷ ହେବାପରେ ହିଁ ରାଜ୍ୟରେ ରାସନ କାର୍ଡ ପାଇଁ ଆବେଦନ କରିଥିବା ପ୍ରାୟ ୬.୧୯ଲକ୍ଷ ପରିବାରକୁ ଉଭୟ ଜାତୀୟ ଓ ରାଜ୍ୟ ଖାଦ୍ୟ ଯୋଜନାରେ ସେମାନଙ୍କ ଯୋଗ୍ୟତାକୁ ଦୃଷ୍ଟିରେ ରଖି ସାମିଲ କରାଯିବ ବୋଲି ରାଜ୍ୟ ସରକାର ସୂଚନା ଦେଇଛନ୍ତି ।

ରାଜ୍ୟ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଆଜି ବିଧାନସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି ଯେ, ରାଜ୍ୟରେ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀଙ୍କ ତଥ୍ୟାବଳୀକୁ ସ୍ୱଚ୍ଛ ଓ ପାରଦର୍ଶୀ କରିବା ଉଦ୍ଦେଶ୍ୟରେ ଆଧାରଭିତ୍ତିକ ଇ-କେୱାଇସି ଯାଂଚ ପ୍ରକ୍ରିୟା ଆରମ୍ଭ କରାଯିବାକୁ ପଦକ୍ଷେପ ନିଆଯାଉଛି । ଏହି ଯାଂଚ ପ୍ରକ୍ରିୟା ଶେଷ ହେବାପରେ ନୂଆ ରାସନ କାର୍ଡ ଯୋଗାଇ ଦେବା ନିମନ୍ତେ ପ୍ରକ୍ରିୟା ଆରମ୍ଭ ହେବ ।

ରାଜ୍ୟରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅଧିନରେ ୯୨.୬୬ଲକ୍ଷ ପରିବାରର ୩ କୋଟି ୨୫ଲକ୍ଷ ୯୩ହଜାର ୮୭୫ଜଣ ହିତାଧିକାରୀ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ୩.୧୫ଲକ୍ଷ ପରିବାରର ୧୦.୦୨ଲକ୍ଷ ହିତାଧିକାରୀ ଉପକୃତ ହେଉଛନ୍ତି । ଏବେ ଏହି ଦୁଇଟି ଯୋଜନାରେ ସାମିଲ ହେବା ପାଇଁ ମୋଟ ୬ଲକ୍ଷ ୧୯ହଜାର ୮୩୬ଟି ପରିବାର ଆବେଦନ କରିଛନ୍ତି । ନୂଆ ହିତାଧିକାରୀ ଚୟନ ପାଇଁ ସରକାର ୧୨ଟି ମାନଦଣ୍ଡ ଓ ଅଯୋଗ୍ୟଙ୍କୁ ବାଦ୍ ଦେବା ପାଇଁ ୧୦ଟି ମାନଦଣ୍ଡ ନିର୍ଦ୍ଧାରଣ କରିଛନ୍ତି । ଜିଲ୍ଲାସ୍ତରରେ ବିଭାଗୀୟ କର୍ମଚାରୀମାନଙ୍କ ଦ୍ୱାରା ଏହାର ଉପଯୁକ୍ତ ତଦନ୍ତ କରାଯାଇ ଯୋଗ୍ୟ ବିବେଚିତ ଆବେଦନକାରୀଙ୍କୁ ଏଥିରେ ସାମିଲ କରାଯାଇଥାଏ । ତେବେ ସରକାରଙ୍କ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ହିତାଧିକାରୀ ଚୟନର ସର୍ବୋଚ୍ଚ ସୀମାକୁ ଦୃଷ୍ଟିରେ ରଖି ଖାଲି ପଡ଼ିଥିବା ସ୍ଥାନରେ ଏହି ହିତାଧିକାରୀଙ୍କୁ ସାମିଲ କରାଯିବାର ବ୍ୟବସ୍ଥା ରହିଛି ।

ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି ଯେ, ରାସନ କାର୍ଡ ପାଇଁ ଆବେଦନକାରୀ ପରିବାର ମଧ୍ୟରେ ସର୍ବାଧିକ ଗଞ୍ଜାମ ଜିଲ୍ଲାର ୧ଲକ୍ଷ ୭ହଜାର ୭୪ଜଣ ପରିବାର ରହିଛନ୍ତି । ସେହିପରି କଟକ ଜିଲ୍ଲାରୁ ୫୦୬୮୬ଟି, ବାଲେଶ୍ୱରରୁ ୬୫୮୫୫ଟି, ପୁରୀରୁ ୪୮୬୬୦ଟି, କେନ୍ଦ୍ରାପଡ଼ାରୁ ୪୨୧୬୭ଟି, ଖୋର୍ଦ୍ଧା ଜିଲ୍ଲାରୁ ୨୯୨୯୮ଟି, ସୁନ୍ଦରଗଡ଼ରୁ ୨୮୭୫୬ଟି ଓ ନୟାଗଡ଼ ଜିଲ୍ଲାରୁ ୨୫୪୨୬ଟି ପରିବାର ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ହେବାକୁ ଆବେଦନ କରିଛନ୍ତି ।

Please follow and like us:

Leave a Reply

Your email address will not be published. Required fields are marked *