ବାଂଲାଦେଶ ଅଶାନ୍ତ: ଦେଶ ଛାଡ଼ି ପଳାଇଲେ ପ୍ରଧାନମନ୍ତ୍ରୀ ଶେଖ୍‌ ହସିନା

onl3
Please follow and like us:

ଢାକା/ନୂଆଦିଲ୍ଲୀ: ବାଂଲାଦେଶରେ ସଂରକ୍ଷଣ ବିରୋଧୀ ଆନ୍ଦୋଳନ ଆଜି ଅତ୍ୟନ୍ତ ଉଗ୍ର ରୂପ ନେଇଛି। ସେନାବାହିନୀର ୪୫ ମିନିଟିଆ ‘ଅନ୍ତିମ ଚେତାବନୀ’ ପରେ ପ୍ରଧାନମନ୍ତ୍ରୀ ଶେଖ୍‌ ହସିନା ଦେଶ ଛାଡ଼ି ପଳାଇଛନ୍ତି। ବାଂଲାଦେଶ ବାୟୁସେନାର ଲକ୍‌ହିଡ୍‌ ଯୁଦ୍ଧବିମାନରେ ପ୍ରଧାନମନ୍ତ୍ରୀ ହସିନା ଢାକା ଛାଡ଼ିଛନ୍ତି। ଶେଖ୍‌ ହସିନା ଓ ତାଙ୍କ ଭଉଣୀଙ୍କୁ ଆଣି ଆସିଥିବା ବିମାନ ଦିଲ୍ଲୀ ନିକଟରେ ଅବତରଣ କରିଛି। ପ୍ରଧାନମନ୍ତ୍ରୀ ଦେଶ ଛାଡ଼ିବା ପରେ ଦେଶର ଶାସନ ଭାର ସେନାବାହିନୀ ନିଜ ହାତକୁ ନେଇଛି। ଖୁବ୍‌ଶୀଘ୍ର ଅନ୍ତରୀଣ ସରକାର ଗଠନ ହେବ ବୋଲି ସେନାବାହିନୀ ଘୋଷଣା କରିଛି। ବାଂଲାଦେଶ ପରିସ୍ଥିତି ଅଣାୟତ୍ତ ହୋଇ ପଡ଼ିଥିବାରୁ ଭାରତ-ବାଂଲାଦେଶ ସୀମାନ୍ତରେ ଭାରତୀୟ ସୀମା ସୁରକ୍ଷାବଳ ପକ୍ଷରୁ ‘ହାଇ ଆଲର୍ଟ’ ଜାରି କରାଯାଇଛି। ବାଂଲାଦେଶକୁ ସମସ୍ତ ଟ୍ରେନ୍‌ ଓ ବିମାନ ଚଳାଚଳ ବନ୍ଦ କରିଦିଆଯାଇଛି।

ଗତମାସରେ ଦେଶରେ ଦେଖାଦେଇଥିବା ସଂରକ୍ଷଣ ବିରୋଧୀ ଆନ୍ଦୋଳନ ପ୍ରାୟ ଗୋଟିଏ ସପ୍ତାହ ପାଇଁ ଥମି ଯାଇଥିଲା। ଶନିବାର ପ୍ରଧାନମନ୍ତ୍ରୀ ହସିନାଙ୍କ ଇସ୍ତଫା ଦାବିରେ ପୁଣିଥରେ ଏହା ଜୋର୍‌ ଧରିଥିଲା। ଶନିବାର ଓ ରବିବାର ଆନ୍ଦୋଳନକାରୀ ବ୍ୟାପକ ପୋଡ଼ା‌ଜଳା ଓ ହିଂସା ଭିଆଇଥିଲେ। ଆନ୍ଦୋଳନକୁ ଦମନ କରିବାକୁ ଯାଇ ପୁଲିସ କାର୍ଯ୍ୟାନୁଷ୍ଠାନ‌ ନେବାରୁ ଦୁଇଦିନରେ ୧୦୦ରୁ ଊର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇଛି। ବାଂଲାଦେଶ ସରକାର ପ୍ରଥମ ଥର ନିମନ୍ତେ ସମଗ୍ର ଦେଶରେ କର୍ଫ୍ୟୁ ଜାରି କରିଥିଲେ। ଦେଶର ଜାତୀୟ ସୁରକ୍ଷା ପରିଷଦର ଜରୁରୀ ବୈଠକ ଆହୂତ କରି ଦଙ୍ଗାକାରୀଙ୍କୁ ଦମନ କରିବାକୁ ସେନା, ଅର୍ଦ୍ଧସାମରିକ ବଳ ଓ ପୁଲିସକୁ ନିର୍ଦ୍ଦେଶ ଦେଇଥିଲେ। ଆଜି ସକାଳେ ବିକ୍ଷୋଭ ଉଗ୍ର ରୂପ ନେଇଥିଲା। ସମଗ୍ର ଢାକା ସହର ସୁରକ୍ଷାକର୍ମୀଙ୍କ ଛାଉଣୀରେ ପରିଣତ ହୋଇଥିଲା। ସଶସ୍ତ୍ର ସୁରକ୍ଷାକର୍ମୀ, ତାରବାଡ଼ ଆଦିକୁ ଖାତିର ନକରି ଆନ୍ଦୋଳନକାରୀମାନେ ମଧ୍ୟ ହାତରେ ଠେଙ୍ଗା, ବୋମା, ଖଣ୍ଡା ଆଦି ମାରଣାସ୍ତ୍ର ଧରି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଭିତରକୁ ଧସେଇ ପଶିଥିଲେ। ବାଂଲାଦେଶର ପ୍ରତିଷ୍ଠାତା ତଥା ପ୍ରଧାନମନ୍ତ୍ରୀ ହସିନାଙ୍କ ବାପା ବଙ୍ଗବନ୍ଧୁ ଶେଖ୍‌ ମୁଜିବୁର୍‌ ରହେମାନଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଛନ୍ତି। ଅପରାହ୍‌ଣରେ, ଶେଖ୍‌ ହସିନାଙ୍କ ସମଗ୍ର ଦେଶକୁ ସମ୍ବୋଧିତ କରିବା କାର୍ଯ୍ୟକ୍ରମ ରହିଥିଲା। ଏହାକୁ ବାତିଲ୍‌ କରି ପ୍ରଧାନମନ୍ତ୍ରୀ ନିଜର ଭଉଣୀ ସହ ଦେଶ ଛାଡ଼ି ପଳାଇଛନ୍ତି। ଏହି ଖବର ପ୍ରସାରିତ ହେବା ପରେ ଆନ୍ଦୋଳନକାରୀଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଥିଲା। ସମଗ୍ର ଦେଶରେ ଆନ୍ଦୋଳନକାରୀମାନେ ଖୁସିରେ ଉତ୍ସବ ମନାଇଥିଲେ।

Please follow and like us:

Leave a Reply

Your email address will not be published. Required fields are marked *