ଭାରତକୁ ୪ ଖେଳରୁ ୬ ପଦକ: ୧୨ଖେଳରେ ଖାଲି ହାତ

onl4
Please follow and like us:

ପ୍ୟାରିସ୍: ଭାରତର ପ୍ୟାରିସ୍ ଅଲିମ୍ପିକ୍ସ ଅଭିଯାନ ବହୁ ଆଶା, ଆକାଂକ୍ଷା ନେଇ ଆରମ୍ଭ ହୋଇଥିଲା। ପ୍ୟାରିସ୍‌କୁ ୧୧୭ଜଣିଆ ଭାରତୀୟ ଦଳ ଯାଇଥିଲା। ପ୍ରକୃତରେ କିନ୍ତୁ ୧୧୨ ଜଣ ଭାରତୀୟ ଖେଳାଳି ୧୬ ଖେଳର ୬୯ ମେଡାଲ ଇଭେଣ୍ଟ୍‌ରେ ଅବତୀର୍ଣ୍ଣ ‌ହୋଇଥିଲେ। ତେବେ ଭାରତୀୟ ଦଳର ହାତକୁ ଆସିଛି ମାତ୍ର ୬ ପଦକ। ଭାରତୀୟମାନେ ଅଂଶଗ୍ରହଣ କରିଥିବା ୧୬ ଖେଳ ମଧ୍ୟରୁ କେବଳ ୪ଟିକୁ ଛାଡ଼ି ୧୨ଟି ଖେଳରେ ଭାରତ ପଦକ ଶୂନ୍ୟ ରହିଛି। ଭାରତୀୟ ଖେଳାଳିମାନେ ପଦକ ଜିତିଥିବା ଖେଳଗୁଡ଼ିକ ମଧ୍ୟରେ ରହିଛି ଆଥଲେଟିକ୍ସ, ହକି, ସୁଟିଂ ଓ କୁସ୍ତି। ସୁଟିଂରୁ ଭାରତକୁ ସର୍ବାଧିକ ତିନିଟି ପଦକ ମିଳିଛି। ରୌପ୍ୟ ରୂପରେ ସର୍ବୋଚ୍ଚ ପଦକ କିନ୍ତୁ ଆଥଲେଟିକ୍ସ (ଜାଭଲିନ୍‌)ରୁ ଆସିଛି। ହକି‌ ଓ କୁସ୍ତିରେ ଗୋଟିଏ ଲେଖାଏଁ କାଂସ୍ୟ ହସ୍ତଗତ ହୋଇଛି। ଏଭଳି ଦୟନୀୟ ପ୍ରଦର୍ଶନ କୋଟିକୋଟି ଭାରତୀୟ ପ୍ରଶଂସକଙ୍କୁ ନିରାଶ କରିଛି। ଓଡ଼ିଶା କିନ୍ତୁ ଐତିହାସିକ ସଫଳତା ପାଇଛି। ଅମିତ ରୋହିଦାସ ଲଗାତାର ଅଲିମ୍ପିକ୍ସ ପଦକ ଜିତିଥିବା ହାତଗଣତି ଖେଳାଳି ମଧ୍ୟରେ ନିଜକୁ ସାମିଲ କରିଛନ୍ତି। କିଶୋର ଜେନା ମଧ୍ୟ ପୁରୁଷ ଜାଭଲିନ୍‌ ଖେଳିବାରେ ରାଜ୍ୟର ପ୍ରଥମ ଖେଳାଳି ହୋଇଛନ୍ତି। ଗୁରତେଜ ସିଂହ (୧୯୮୪, ଲସଏଞ୍ଜେଲ୍ସ), ନୀରଜ ଚୋପ୍ରା (୨୦୨୧ ଟୋକିଓ, ୨୦୨୪ ପ୍ୟାରିସ୍)ଙ୍କ ଲିଗ୍‌ରେ ସାମିଲ ହୋଇ ରାଜ୍ୟପାଇଁ ଗର୍ବ ଓ ଗୌରବ ଆଣିଛନ୍ତି।

 ଧୀରାଜ ବୋମଦେବରା ଓ ଅଙ୍କିତା ଭକତ ପ୍ରଥମ ଭାରତୀୟ ଯୋଡ଼ି ଭାବେ ମିଶ୍ରିତ ବର୍ଗରେ ଚତୁର୍ଥ ସ୍ଥାନରେ ରହିଛନ୍ତି। ବ୍ୟାଡମିଣ୍ଟନ୍‌ରେ ଲକ୍ଷ୍ୟ ସେନ୍ ପ୍ରଥମ ଭାରତୀୟ ଭାବେ ପୁରୁଷ ଏକକର ସେମିଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ସେମିଫାଇନାଲ୍‌ ସହ ତୃତୀୟ ଓ ଚତୁର୍ଥ ସ୍ଥାନ ମ୍ୟାଚ୍‌ ହାରି ଅଳ୍ପକେ ସେ ପଦକରୁ ବଞ୍ଚିତ ହେବା ଭାରତୀୟ କ୍ରୀଡ଼ାପ୍ରେମୀଙ୍କୁ କିନ୍ତୁ ବ୍ୟଥିତ କରିଛି। ମନିକା ବାତ୍ରା ପ୍ରଥମ ଭାରତୀୟ ଭାବେ ମହିଳା ଟେବୁଲ ଟେନିସ୍‌ର ପ୍ରିକ୍ବାର୍ଟରରେ ପ୍ରବେଶ କରିଥିଲେ। ଶ୍ରୀଜା ଅକୁଲା ମଧ୍ୟ ଏହି କୀର୍ତ୍ତିମାନ ଦୋହରାଇଥିଲେ। ବିଭିନ୍ନ ଖେଳରେ ୮ଜଣ ଭାରତୀୟ ଚତୁର୍ଥ ସ୍ଥାନରେ ରହି ଅଳ୍ପକେ ପଦକ ହାତଛଡ଼ା କରିଥିବା ହତଭାଗା ଖେଳାଳି ତାଲିକାରେ ସ୍ଥାନ ପାଇଛନ୍ତି। ଏହା ସେମାନଙ୍କ ପାଇଁ ‘ଚାରି’ର ଚେଙ୍କ ସଦୃଶ ହୋଇଥିଲା। ସେପଟେ ଭାରତ ତୁଳନାରେ ଓଡ଼ିଶାର ସଫଳତା ହାର ଅଧିକ ରହିଛି। ଏହି ତୁଳନା ସେତେଟା ଯୁକ୍ତିସଂଗତ ନହେଲେ ବି ପ୍ୟାରିସ୍‌ ଅଲିମ୍ପିକ୍ସରେ ଓଡ଼ିଶାର ମାତ୍ର ୨ଜଣ ଖେଳାଳି ଅଂଶଗ୍ରହଶ କରି ଅମିତ ରୋହି ଦାସଙ୍କ ରୂପରେ ଜଣେ ଖେଳାଳି ପଦକ ଜିତିବାକୁ ସକ୍ଷମ ‌ହୋଇଛନ୍ତି।

Please follow and like us:

Leave a Reply

Your email address will not be published. Required fields are marked *