୭୮ତମ ସ୍ବାଧୀନତା ଦିବସ ପୂର୍ବରୁ ରାଷ୍ଟ୍ରପତିଙ୍କ ବଡ଼ ବାର୍ତ୍ତା: ସାମାଜିକ ନ୍ୟାୟ ସର୍ବୋଚ୍ଚ ପ୍ରାଥମିକତା

onl5
Please follow and like us:

ନୂଆଦିଲ୍ଲୀ: ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ଉଦ୍ଦେଶ୍ୟରେ ଅର୍ଥନୈତିକ ସଂସ୍କାରକୁ ବ୍ୟାପକ କରାଯିବା ସହ ଏକ ନୂତନ ଯୁଗର ମୂଳଦୁଆ ରଖାଯାଇଛି ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି। ଦେଶର ୭୮ତମ ସ୍ୱାଧୀନତା ଦିବସ ଅବସରରେ ଦେଶବାସୀଙ୍କୁ ଉଦ୍‌ବୋଧନ ଦେଇ ରାଷ୍ଟ୍ରପତି ଭାରତର ପ୍ରଭାବଶାଳୀ ଅର୍ଥନୈତିକ ଗତିପଥ ଉପରେ ଆଲୋକପାତ କରିଛନ୍ତି। ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇ ସେ କହିଛନ୍ତି ଯେ ୨୦୨୧ରୁ ୨୦୨୪ ମଧ୍ୟରେ ହାରାହାରି ବାର୍ଷିକ ଜିଡିପି ଅଭିବୃଦ୍ଧି ହାର ୮ ପ୍ରତିଶତ ଥିବା ଦେଶ ଦ୍ରୁତ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥନୀତି ଭାବେ ଉଭା ହୋଇଛି ଏବଂ ଏହା ଗର୍ବର ବିଷୟ ଯେ ଭାରତ ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତିରେ ପରିଣତ ହୋଇଛି ଏବଂ ଆମେ ଖୁବଶୀଘ୍ର ଶ୍ରେଷ୍ଠ ତିନୋଟି ଅର୍ଥନୀତିରେ ପ୍ରବେଶ କରିବାକୁ ଯାଉଛୁ।

ଶ୍ରମିକ ଓ କୃଷକଙ୍କ ନିରନ୍ତର ପ୍ରୟାସ, ଯୋଜନାକାରୀ ଓ ସମ୍ପତ୍ତି ସୃଷ୍ଟିକାରୀଙ୍କ ଦୂରଦୃଷ୍ଟି ଏବଂ ଦେଶକୁ ମାର୍ଗଦର୍ଶନ କରୁଥିବା ଦୂରଦର୍ଶୀ ନେତୃତ୍ୱକୁ ଏହି ଉଲ୍ଲେଖନୀୟ ଅଗ୍ରଗତି ପାଇଁ ରାଷ୍ଟ୍ରପତି ଶ୍ରେୟ ଦେଇଛନ୍ତି। ୨୦୪୭ ସ୍ୱାଧୀନତାର ଶତବାର୍ଷିକୀ ଅବସରରେ ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ପାଇଁ ସରକାରଙ୍କ ମହତ୍ୱାକାଂକ୍ଷୀ ଲକ୍ଷ୍ୟ ଉପରେ ରାଷ୍ଟ୍ରପତି ଗୁରୁତ୍ବାରୋପ କରିଛନ୍ତି। ସାମାଜିକ ନ୍ୟାୟ ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା ବୋଲି ଦର୍ଶାଇ ରାଷ୍ଟ୍ରପତି କହିଛନ୍ତି ଯେ ଭାରତରେ ସାମାଜିକ ଜୀବନର ପ୍ରତ୍ୟେକ ଦିଗରେ ଅନ୍ତର୍ଭୁକ୍ତୀକରଣ ବ୍ୟାପକ ହୋଇଛି ଏବଂ ଦେଶବାସୀ ଏଥିରୁ ଉପକୃତ ହେଉଛନ୍ତି।

ଭିତ୍ତିଭୂମି ବିକାଶ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଓ ସେମିକଣ୍ଡକ୍ଟର ଭଳି ଅତ୍ୟାଧୁନିକ ଜ୍ଞାନକୌଶଳକୁ ଗ୍ରହଣ କରିବା ଏବଂ ଦୃଢ଼ ବ୍ୟାଙ୍କିଙ୍ଗ୍ ଓ ଆର୍ଥିକ କ୍ଷେତ୍ର ସହ ଭାରତକୁ ପୁଞ୍ଜିନିବେଶ ପାଇଁ ଆକର୍ଷଣୀୟ ସ୍ଥାନରେ ପରିଣତ କରିବା ଉପରେ ସରକାର ଗୁରୁତ୍ବାରୋପ କରିଛନ୍ତି ବୋଲି ରାଷ୍ଟ୍ରପତି ମୁର୍ମୁ ଉଲ୍ଲେଖ କରିଛନ୍ତି। ଯେଉଁମାନେ ଏବେ ବି ଆର୍ଥିକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ସେମାନଙ୍କ ପାଇଁ ଆମେ ସହାୟତା ଉପଲବ୍ଧ କରାଇବା ସହ ଦାରିଦ୍ର୍ୟରୁ ମୁକୁଳାଇବା ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ରାଷ୍ଟ୍ରପତି ଆଶ୍ୱାସନା ଦେଇଛନ୍ତି। ପାଖାପାଖି ୮୦୦ ନିୟୁତ ଲୋକଙ୍କୁ ମାଗଣା ରାସନ ପ୍ରଦାନ କରୁଥିବା ପିଏମ୍ ଗରିବ କଲ୍ୟାଣ ଅନ୍ନ ଯୋଜନା ଭଳି ପଦକ୍ଷେପର ଉଦାହରଣ ଦେଇ ରାଷ୍ଟ୍ରପତି ମୁର୍ମୁ କହିଛନ୍ତି ଯେ ନିକଟରେ ଦାରିଦ୍ର୍ୟରୁ ମୁକୁଳିଥିବା ବ୍ୟକ୍ତିମାନଙ୍କ ଅଧିକ ପ୍ରଗତି ପାଇଁ ସରକାର ନିଷ୍ଠାର ସହ କାର୍ଯ୍ୟ କରୁଛନ୍ତି।

Please follow and like us:

Leave a Reply

Your email address will not be published. Required fields are marked *