ହକି ହିରୋଙ୍କ ସ୍ୱାଗତରେ କମ୍ପିଲା ରାଜଧାନୀ ଭୁବନେଶ୍ୱର

onl3
Please follow and like us:

ହକି ହିରୋଙ୍କୁ ମିଳିଲା ବିପୁଳ ସମ୍ବର୍ଦ୍ଧନା। ସ୍ୱାଗତ ସମ୍ବର୍ଦ୍ଧନାରେ ପ୍ରକମ୍ପିତ ହେଲା ରାଜଧାନୀ ଭୁବନେଶ୍ୱର। ଏୟାରପୋର୍ଟରୁ କଳିଙ୍ଗ ଷ୍ଟାଡିୟମ ଓ କଳିଙ୍ଗ ଷ୍ଟାଡିୟମରୁ ଲୋକସେବା ଭବନ ଯାଏ ସବୁଠାରେ କେବଳ ହକିର ଚର୍ଚ୍ଚା। ପ୍ୟାରିସ ଅଲିମ୍ପିକ୍ସରେ ଦେଶ ପାଇଁ ବ୍ରୋଞ୍ଜ ପଦକ ଜିତିଥିବା ଭାରତୀୟ ହକି ଟିମ୍ ଆଜି ଭୁବନେଶ୍ୱର ଆସିଥିବା ବେଳେ ସେମାନଙ୍କୁ ମିଳିଛି ଓଡ଼ିଶାବାସୀଙ୍କ ଭଲପାଇବା।

ରୋଡ ଶୋ’ ବେଳେ ଶହଶହ ଲୋକ ରାସ୍ତାର ଉଭୟ ପାର୍ଶ୍ୱରେ ଛିଡ଼ା ହୋଇ ହକି  ଖେଳାଳିଙ୍କୁ ଦେଖିଛନ୍ତି। ସେମାନଙ୍କ ପାଇଁ ନାରାବାଜୀ କରି ସ୍ୱାଗତ କରିଛନ୍ତି। ଓଡ଼ିଶା ସରକାର ମଧ୍ୟ ଘୋଷଣା ମୁତାବକ ଦଳର ସଦସ୍ୟମାନଙ୍କୁ ଆର୍ଥିକ ପୁରସ୍କାରରେ ସମ୍ମାନୀତ କରିଛନ୍ତି। 

ଟିମର ସଦସ୍ୟମାନେ ମଧ୍ୟାହ୍ନ ପ୍ରାୟ ୧ଟା ବେଳେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଠାରେ ପହଞ୍ଚିଥିଲେ। ବିମାନବନ୍ଦରଠାରେ ପହଂଚିବା ପରେ , କ୍ରୀଡାମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ଓ ଏକାମ୍ର ଭୁବନେଶ୍ୱର ବିଧାୟକ ବାବୁ ସିଂହ ସେମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ।

ଏହାପରେ ଭାରତୀୟ ହକି ଟିମ୍ କୁ ଏକ ରୋଡ଼ ଶୋ’ ମାଧ୍ୟମରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରଠାରୁ କଳିଙ୍ଗ ଷ୍ଟାଡିୟମ୍ ପର୍ଯ୍ୟନ୍ତ ଅଣା ଯାଇଥିଲା। ଏହି ଅବସରରେ ସଂସ୍କୃତି ବିଭାଗ ତରଫରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ହକି ଟିମକୁ ସମ୍ବର୍ଦ୍ଧିତ କରାଯାଇଥିଲା। ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଯଥା ଭୁବନେଶ୍ୱର ବିମାନବନ୍ଦର ଠାରେ ଘୁମୁରା, ସାହିଜାତ, ଦୁରୁଆ ନାଚ, ସାନ୍ତାଳୀ ନୃତ୍ୟ, କ୍ୟାପିଟାଲ ହସ୍ପିଟାଲ ଛକ ଠାରେ ବଜାସାଲ, ଏଜି ଛକ ଠାରେ ସମ୍ବଲପୁରୀ, ରାଜଭବନ ଠାରେ ଦୁଲଦୁଲି, କଳିଙ୍ଗ ଷ୍ଟାଡିୟମ୍ ଠାରେ ଝାଞ୍ଜ, ଖୋଳ ଓ କରତାଳି ଆଦିର ପ୍ରଦର୍ଶନ କରାଯାଇଥିଲା।

ଟିମ୍‌ର ଗୋଲକିପର ପିଆର ଶ୍ରୀଜେସ୍‌ଙ୍କୁ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ଭାବେ ୫୦ ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରିଛନ୍ତି। ସେହିପରି ୪ ଜଣ ସପୋର୍ଟିଂ ଷ୍ଟାଫ୍‌ଙ୍କୁ ମଧ୍ୟ ୧୦ ଲକ୍ଷ ଟଙ୍କା ଲେଖାଏ ଦିଆଯାଇଛି। 

କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମାଝୀ କହିଛନ୍ତି ଯେ “ଭାରତୀୟ ହକି ଦଳର ଏହି କାଂସ୍ୟ ପଦକ, ଏକ ଦୃଢନିଷ୍ଠ ସ୍ୱର୍ଣ୍ଣିମ ଭବିଷ୍ୟତର ଶୁଭାରମ୍ଭ ପାଇଁ ଆହ୍ୱାନ ପ୍ରଦାନ କରିଛି। ଭାରତୀୟ ହକିର ପୁନର୍ଜନ୍ମରେ ଓଡ଼ିଶାର ମହତ୍ୱପୂର୍ଣ୍ଣ ଭୂମିକା ପାଇଁ ମୁଁ ଗର୍ବିତ। ଓଡ଼ିଶା ସବୁ ସମୟରେ ଭାରତୀୟ ହକି ଦଳ ସହିତ ଜଣେ ସୁଖଦୁଃଖର ସାଥୀ ଭଳି ରହିଆସିଛି।”

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଲସ୍‌ ଏଞ୍ଜେଲେସ୍‌ ଅଲମ୍ପିକ୍ସ(୨୦୨୮) ସହିତ ଜାତୀୟ ହକି ଦଳର ଆଗାମୀ ସମସ୍ତ ଅଭିଯାନରେ ଦଳ ପ୍ରତି ଓଡ଼ିଶା ଓ ଓଡ଼ିଶାବାସୀଙ୍କର ଦୃଢ ସମର୍ଥନ ଜାରି ରହିବ। ଆମ ସରକାର ସଂପୂର୍ଣ୍ଣ ଭାବରେ ଆମର ଖେଳାଳିମାନଙ୍କ ସହିତ ଅଛନ୍ତି। ଆଗାମୀ ଦିନରେ ସେମାନେ ଯେପରି ଆହୁରି ବଡ ସଫଳତା ହାସଲ କରିବେ, ସେଥିପାଇଁ ସେମାନଙ୍କୁ ସବୁପ୍ରକାର ସୁବିଧା ଓ ପ୍ରୋତ୍ସାହନ ଦିଆଯିବ। ହକିର ବିକାଶ ପାଇଁ ଆମେ ଆହୁରି ନୂଆ ନୂଆ ପଦକ୍ଷେପ ନେବୁ। ଆମର ଖେଳାଳି ମାନେ ଯେପରି ବିଶ୍ୱସ୍ତରରେ ଶୀର୍ଷରେ ରହିବେ, ତାହା ଆମେ ସୁନିଶ୍ଚିତ କରିବୁ।

Please follow and like us:

Leave a Reply

Your email address will not be published. Required fields are marked *