ପାକିସ୍ତାନ ବିପକ୍ଷରେ ବାଂଲାଦେଶର ଐତିହାସିକ ବିଜୟ, ଶେଷ ଦିନରେ ହେଲା କମାଲ

onl3
Please follow and like us:

ପାକିସ୍ତାନ ବିପକ୍ଷ ପ୍ରଥମ ଟେଷ୍ଟକୁ ନାଟକୀୟ ଢଙ୍ଗରେ ଜିତି ଇତିହାସ ରଚିଛି ବାଂଲାଦେଶ। ପାକିସ୍ତାନକୁ ଘରୋଇ ପରିବେଶରେ ଧୂଳି ଚଟାଇଛି ବାଂଲାଦେଶ। ଏହା ପାକିସ୍ତାନ ବିପକ୍ଷରେ ବାଂଲାଦେଶର ପ୍ରଥମ ଟେଷ୍ଟ ବିଜୟ। ଏହାପୂର୍ବରୁ ଦୁଇ ଦଳ ୧୫ ଥର ଟେଷ୍ଟ ମ୍ୟାଚ୍‌ରେ ମୁହାଁମୁହିଁ ହୋଇଥିବା ବେଳେ ସବୁ ଥର ପାକିସ୍ତାନ ଜିତୁଥିଲା କିମ୍ବା ମ୍ୟାଚ୍‌ ଡ୍ର ହେଉଥିଲା।

ହେଲେ ରାୱଲପିଣ୍ଡିରେ ଖେଳାଯାଇଥିବା ଟେଷ୍ଟ ମ୍ୟାଚ୍‌ର ଶେଷ ଦିନରେ ବାଂଲାଦେଶ କମାଲ କରି ଦେଇଛି। ନାଟକୀୟ ଢଙ୍ଗରେ ଦଳ ପାକିସ୍ତାନକୁ ୧୦ ୱିକେଟରେ ହରାଇ ଟେଷ୍ଟ ସିରିଜରେ ୧-୦ରେ ଆଗୁଆ ହୋଇଯାଇଛି।

ଶେଷ ଦିନରେ ପାକିସ୍ତାନ ୨୩/୧ରୁ ଖେଳ ଆରମ୍ଭ କରିଥିଲା। ଲାଗୁଥିଲା ମ୍ୟାଚ୍‌ ଡ୍ର ରହିବ। କାରଣ ବାଂଲାଦେଶର ପ୍ରଥମ ଇନିଂସ ସ୍କୋର ଠାରୁ ପାକିସ୍ତାନ ୯୪ ରନ ପଛରେ ରହିଥିଲା। ହେଲେ ଶେଷ ଦିନରେ ବାଂଲାଦେଶର ସ୍ପିନ ଯୋଡ଼ି ମେହିଦୀ ହାସନ ମିରାଜ ଓ ଅଭିଜ୍ଞ ସାକିବ ଅଲ ହାସନ ନିଜର ଯାଦୁ ଦେଖାଇଥିଲେ। 

ମିରାଜ ୪ଟି ଓ ସାକିବ ୩ଟି ୱିକେଟ ନେବାରୁ ପାକିସ୍ତାନ ୧୪୬ ରନରେ ଅଲଆଉଟ ହୋଇଯାଇଥିଲା। ନାହିଦ ରାଣା, ଶୋରିଫୁଲ ଇସଲାମ ଓ ହାସନ ମହମ୍ମଦ ମଧ୍ୟ ଗୋଟିଏ ଲେଖାଏ ୱିକେଟ ନେଇଛନ୍ତି। 

ଲଞ୍ଚ ପରେ ବାଂଲାଦେଶକୁ ୩୦ ରନର ଟାର୍ଗେଟ ମିଳିଥିଲା। ବାଂଲାଦେଶର ଦୁଇ ଓପନର ଜାକିର ହାସନ ଓ ଶଦନାମ ଇସଲାମ ବିନା କୌଣସି ବିପର୍ଯ୍ୟୟ ଘଟାଇ ନିଜ ଦେଶକୁ ଐତିହାସିକ ବିଜୟ ଭେଟି ଦେଇଛନ୍ତି।

ଆଜି ହେଉଛି ବାଂଲାଦେଶର ଅଧିନାୟକ ନଜମୁଲ ହୁସେନ ସାଣ୍ଟୋଙ୍କ ୨୬ତମ ଜନ୍ମ ଦିନ। ସେ ଜନ୍ମ ଦିନରେ ବାଂଲାଦେଶର ପ୍ରଥମ କ୍ୟାପ୍ଟେନ ଭାବେ ପାକିସ୍ତାନକୁ କୌଣସି ଟେଷ୍ଟ ମ୍ୟାଚ୍‌ରେ ହରାଇବାର ରେକର୍ଡର ଅଧିକାରୀ ହୋଇଛନ୍ତି।

ମ୍ୟାଚ କଥା ବିଚାରକୁ ନେଲେ ପ୍ରଥମ ଇନିଂସରେ ପାକିସ୍ତାନର ଦବଦବା ଦେଖାଇଥିଲା। ମହମ୍ମଦ ରିଜୱାନଙ୍କ ଅପରାଜିତ ୧୭୧ ଓ ସୌଦ ସକୀଲଙ୍କ ୧୪୧ ରନ ବଳରେ ପାକିସ୍ତାନ ୬ ୱିକେଟ ହରାଇ ୪୪୮ ରନ କରିବା ପରେ ପାଳି ଘୋଷଣା କରିଥିଲା। ଏହାର ଦୃଢ଼ ଜବାବ ବାଂଲାଦେଶ ଦେଇଥିଲା।

ଶଦମାନ ଇସଲାମଙ୍କ ୯୩, ମୌମିନୁଲଙ୍କ ୫୦, ମୁସ୍ତଫିକର ରହିମଙ୍କ ୧୯୧, ଲିଟନ ଦାସଙ୍କ ୫୬ ଓ ମେହିଦ ହାସନ ମିରାଜଙ୍କ ୭୭ ରନ ବଳରେ ବାଂଲାଦେଶ ପ୍ରଥମ ଇନିଂସରେ ୫୬୫ ରନ କରି ଅଲଆଉଟ ହୋଇଯାଇଥିଲା।

ବାଂଲାଦେଶକୁ ଗୁରୁତ୍ୱପୂର୍ଣ୍ଣ ୧୧୭ ରନ ଲିଡ ମିଳି ଯାଇଥିଲା। ପାକିସ୍ତାନ ୪ର୍ଥ ଦିନରେ ବେଶ କିଛି ସମୟ ବ୍ୟାଟିଂ କରିବା ସହ ଗୋଟିଏ ୱିକେଟ ହରାଇ ୨୩ ରନ କରି ନେଇଥିଲା। ଦଳ ୯୪ ରନ ପଛରେ ଥିବା ବେଳେ ଆଜି ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। 

Please follow and like us:

Leave a Reply

Your email address will not be published. Required fields are marked *