କୋଲକାତା ଲଜ୍ଜା ଘଟଣାରେ ଆଜି ୧୨ ଘଣ୍ଟିଆ ପଶ୍ଚିମବଙ୍ଗ ବନ୍ଦ ପାଳନ କରୁଛି ବିଜେପି। ବିଭିନ୍ନ ସ୍ଥାନରେ ବନ୍ଦ ପ୍ରଭାବ ଦେଖିବାକୁ ମିଳୁଥିବା ବେଳେ ଘଟୁଛି ହିଂସାକାଣ୍ଡ । ଏପରି ସ୍ଥିତିରେ ଭାଟପଡ଼ାରେ ଜଣେ ବିଜେପି ନେତାଙ୍କ ଗାଡ଼ି ଉପରକୁ ହୋଇଛି ଅତର୍କିତ ଗୁଳିମାଡ଼ ।
ପଶ୍ଚିମବଙ୍ଗ ଭାଟପଡ଼ାର ବିଜେପି ନେତା ପ୍ରିୟାଙ୍ଗୁ ପାଣ୍ଡେଙ୍କ କାର ଉପରକୁ ଗୁଳି ମାଡ଼ କରିଛନ୍ତି କିଛି ଦୁର୍ବୃତ୍ତ। ବିଜେପି ନେତା ପ୍ରିୟାଙ୍ଗୁଙ୍କ ଡ୍ରାଇଭର କାର୍ ଚଳାଉଥିବା ବେଳେ ହଠାତ୍ କିଛି ଦୁର୍ବୃତ୍ତ କାର୍ ଉପରକୁ ୬ ରାଉଣ୍ଡ ଗୁଳି ଚଳାଇଥିଲେ। ଏଥିରେ ଡ୍ରାଇଭର ଜଣକ ଆହତ ହୋଇଥିବା ଜଣାଯାଇଛି। ତାଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣାରେ ପୁଲିସ୍ ୩ ଜଣଙ୍କୁ ବାନ୍ଧିଛି।
ଗୁଳିମାଡ଼ ପରେ ଘଟଣାସ୍ଥଳରେ ଭାଟପଡ଼ା ବିଧାୟକ ପୱନ ସିଂ, ପୂର୍ବତନ ସାଂସଦ ଅର୍ଜୁନ ସିଂ ଏବଂ ଅନ୍ୟ ବିଜେପି ନେତା ପହଞ୍ଚିଛନ୍ତି। ଏହି ଗୁଳିକାଣ୍ଡ ପଛରେ ଟିଏମ୍ସିର ହାତ ଥିବା ବିଜେପି ପକ୍ଷରୁ ଅଭିଯୋଗ ହୋଇଛି।