ଆର୍‌ଜି କର ହସ୍ପିଟାଲ ଘଟଣା: ସାଂସଦଙ୍କ ଇସ୍ତଫା, ମମତାଙ୍କୁ ଘେରିଲେ

onl4
Please follow and like us:

କୋଲକାତା: କୋଲକାତାର ଆର୍‌ଜି କର ମେଡିକାଲ କଲେଜରେ ଜଣେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ପଶ୍ଚିମବଙ୍ଗ ସରକାରଙ୍କ ‘ବେପରୁଆ ପଦକ୍ଷେପ’କୁ ବିରୋଧ କରି ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର ରାଜ୍ୟସଭା ସାଂସଦ ଜହର ସରକାର ରବିବାର ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ତଥା ଟିଏମ୍‌ସି ସୁପ୍ରିମୋ ମମତା ବାନାର୍ଜୀଙ୍କୁ ଲେଖିଥିବା ଚିଠିରେ ସରକାର ନିଜ ଦଳର ଦିଗହରା ଆଭିମୁଖ୍ୟ ବିଷୟରେ ଉଲ୍ଲେଖ କରିଛନ୍ତି। ଆର୍‌ଜି କର କାଣ୍ଡ ପରେ ସରକାର ନେଇଥିବା ପଦକ୍ଷେପ ଓ ସରକାରଙ୍କ ଆଭିମୁଖ୍ୟ ଦଳକୁ ବଦନାମ କରିଛି ବୋଲି ଦର୍ଶାଇ ସରକାର ଏଥିପାଇଁ ମମତାଙ୍କୁ ସିଧାସଳଖ ଦାୟୀ କରିଛନ୍ତି।

ଏହି ପ୍ରସଙ୍ଗରେ ମମତା ବାନାର୍ଜୀଙ୍କ ସହ ବ୍ୟକ୍ତିଗତ ଭାବେ କଥା ହୋଇ ପାରିନଥିବାରୁ ସେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଅଭାବ ଏବଂ ଏହି ସମସ୍ୟାର ସମାଧାନ କରିବାରେ ଦଳର ବିଫଳତାକୁ ନେଇ ସେ ଦୁଃଖ ପ୍ରକାଶ କରିଛନ୍ତି। ରାଜ୍ୟ ସରକାର ବିଭିନ୍ନ ଦୁର୍ନୀତି ଓ କିଛି ନେତାଙ୍କ ଅପକୌଶଳ ନେଇ ଆଖି ବୁଜିଦେଇଥିବାରୁ ଦୁର୍ନୀତିଗ୍ରସ୍ତ ଅଫିସରଙ୍କ ରାଜ ଚାଲିଛି ବୋଲି ସେ କହିଛନ୍ତି।

ସାଂସଦ ପଦରୁ ଇସ୍ତଫା ଦେବାପରେ ସରକାର କହିଛନ୍ତି ଯେ ଟିଏମ୍‌ସି ସରକାରଙ୍କ ପ୍ରତି ବଢୁଥିବା ଅସନ୍ତୋଷ ଏବେ ଜନ ଆନ୍ଦୋଳନର ରୂପ ନେଇଛି। ସରକାର ଏବେ ଲୋକଙ୍କ ଆସ୍ଥା ହରାଇଛନ୍ତି ଏବଂ ମୁଁ ସରକାରଙ୍କ ବିରୋଧରେ ଏତେ ଅସନ୍ତୋଷ ଏବଂ ସମ୍ପୂର୍ଣ୍ଣ ଅନାସ୍ଥା ପୂର୍ବରୁ କେବେ ଦେଖିନାହିଁ। ଆର୍‌ଜି କର ମେଡିକାଲ କଲେଜ ଘଟଣାରେ ସରକାରଙ୍କ ପଦକ୍ଷେପରେ ଅସନ୍ତୋଷ ବ୍ୟକ୍ତ କରି ସେ କହିଛନ୍ତି, ଏହି ଭୟଙ୍କର ଘଟଣା ପରଠାରୁ ମୁଁ ଏକ ମାସ ଧରି ଯନ୍ତ୍ରଣା ଭୋଗୁଛି ଏବଂ ମମତା ବାନାର୍ଜୀଙ୍କ କାର୍ଯ୍ୟ ଶୈଳୀରେ ଅତିଷ୍ଠ ହୋଇପଡ଼ିଛି। କେନ୍ଦ୍ର ଓ ରାଜ୍ୟରେ ଦୁର୍ନୀତି, ସାମ୍ପ୍ରଦାୟିକତା ଏବଂ ଏକଛତ୍ରବାଦ ବିରୋଧରେ ଲଢ଼ିବା ପାଇଁ ମୋର ପ୍ରତିବଦ୍ଧତା ପାଇଁ ମୁଁ ସଂସଦ ସଦସ୍ୟତାରୁ ଇସ୍ତଫା ଦେଇଛି ବୋଲି ସରକାର କହିଛନ୍ତି।

ସୂଚନାଯୋଗ୍ୟ, ଗତ କିଛି ସପ୍ତାହ ମଧ୍ୟରେ ମମତା ବାନାର୍ଜୀ ଆର୍‌ଜି କର ଘଟଣା ପରିଚାଳନାକୁ ନେଇ ତାଙ୍କ ଦଳ ଭିତରେ କଡ଼ା ସମାଲୋଚନାର ଶିକାର ହୋଇଛନ୍ତି। ଟିଏମ୍‌ସି ନେତା ଶାନ୍ତନୁ ସେନ ସରକାରୀ ହସ୍ପିଟାଲର କାର୍ଯ୍ୟକଳାପକୁ ନେଇ ସମାଲୋଚନା କରିବା ପରେ ତାଙ୍କୁ ତାଙ୍କ ଦଳୀୟ ପଦରୁ ହଟାଇ ଦିଆଯାଇଛି। ବରିଷ୍ଠ ନେତା ସୁଖେନ୍ଦୁ ଶେଖର ରାୟ ମଧ୍ୟ ଡାକ୍ତରଙ୍କ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ପୁଲିସ ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଥିବାରୁ ଦଳର କେତେକ ନେତା ତାଙ୍କୁ ଟାର୍ଗେଟ୍‌ କରୁଛନ୍ତି।

Please follow and like us:

Leave a Reply

Your email address will not be published. Required fields are marked *