ଆକ୍ସନ୍‌ ମୁଡ୍‌ରେ ମୋହନ ସରକାର: ଡିସେମ୍ବର ସୁଦ୍ଧା ସବୁ ଖାଲି ପଡ଼ିଥିବା ପଦବୀ ପୂରଣ ପାଇଁ ବିଜ୍ଞାପନ, ଆସନ୍ତା ମାସରୁ ନିଯୁକ୍ତି ମେଳା

onl5
Please follow and like us:

ରାଜ୍ୟରେ ଖାଲି ପଡ଼ିଥିବା ସରକାରୀ ପଦବୀଗୁଡ଼ିକୁ ପୂରଣ କରିବା ପାଇଁ ମୋହନ ମାଝୀଙ୍କ ନେତୃତ୍ୱାଧୀନ ସରକାର ଏବେ ପୁରା ଆକ୍ସନ ମୁଡ୍‌କୁ ଆସିଛନ୍ତି । ରାଜ୍ୟରେ ମୋଟ ମଞ୍ଜୁରୀପ୍ରାପ୍ତ ୩ଲକ୍ଷ ୯୯ହଜାର ୬୬୬ଟି ମୂଳ ପଦବୀ ମଧ୍ୟରୁ ଖାଲିପଡ଼ିଥିବା ୧ଲକ୍ଷ ୩୨ହଜାର ୪୫୯ଟି ପଦବୀ ପୂରଣ ପାଇଁ ସରକାର ଆକ୍ସନ୍ ପ୍ଲାନ୍ ପ୍ରସ୍ତୁତ କରିଛନ୍ତି । ଡିସେମ୍ବର ସୁଦ୍ଧା ଖାଲି ପଡ଼ିଥିବା ସମସ୍ତ ସରକାରୀ ପଦବୀ ନିମନ୍ତେ ବିଜ୍ଞାପନ ଜାରି କରିବାକୁ ରାଜ୍ୟ ସରକାରଙ୍କ ନିଯୁକ୍ତି ଏଜେନ୍ସୀଗୁଡ଼ିକୁ କୁହାଯାଇଛି । ଏହାସହିତ ଆସନ୍ତା ସେପ୍ଟେମ୍ବର ମାସରେ ରାଜ୍ୟ ସରକାର ନିଯୁକ୍ତି ମେଳା ମାଧ୍ୟମରେ ୧୮୭୮୮ଜଣ କନିଷ୍ଠ ଶିକ୍ଷକ(ସ୍କିମେଟିକ)ଙ୍କୁ ନିଯୁକ୍ତି ପତ୍ର ବଂଟନ କରିବେ ବୋଲି ଜଣାପଡ଼ିଛି । କେବଳ ସେପ୍ଟେମ୍ବର ମାସରେ ୭ଟି ନିଯୁକ୍ତି ମେଳାର ଆୟୋଜନ କରାଯାଇ ମୋଟ ୨୧୯୧୮ଟି ବିଭିନ୍ନ ବର୍ଗର ପଦବୀ ପାଇଁ ଯୋଗ୍ୟ ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ବଂଟନ କରାଯିବାକୁ ସରକାର ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି ।

ରାଜ୍ୟ ସରକାରଙ୍କ ସୂଚନା ଅନୁସାରେ, ରାଜ୍ୟର ମୋଟ ୩ଲକ୍ଷ ୯୯ହଜାର ୬୬୬ଟି ମୂଳ ସରକାରୀ ପଦବୀ ମଧ୍ୟରୁ ୧ଲକ୍ଷ ୩୨ହଜାର ୪୫୯ଟି ପଦବୀ ଖାଲି ପଡ଼ିଛି । ସେଥିରୁ ୯୨୨୦୩ଟି ପଦବୀକୁ ପୂରଣ ନିମନ୍ତେ କ୍ଷମତାପ୍ରାପ୍ତ କମିଟିର ଅନୁମୋଦନ ମିଳିସାରିଥବାବେଳେ ବାକି ୪୦୨୫୬ଟି ପଦବୀକୁ ଅନୁମୋଦନ ପ୍ରକ୍ରିୟା ସେପ୍ଟେମ୍ବରମାସ ସୁଦ୍ଧା ସାରିବା ପାଇଁ ବିଭାଗଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି । ଯେଉଁ ୯୨୨୦୩ଟି ପଦବୀକୁ କ୍ଷମତାପ୍ରାପ୍ତ କମିଟି ଅନୁମୋଦନ କରିଛନ୍ତି ସେଥିରୁ ୭୮୯୧୯ଟି ପଦବୀକୁ ପୂରଣ ପାଇଁ ସରକାରଙ୍କ ବିଭିନ୍ନ ନିଯୁକ୍ତି ଏଜେନ୍ସୀକୁ ଚିଠି ଲେଖି ଅବଗତ କରାଯାଇଥିବାବେଳେ ବାକି ଥିବା ୧୩୨୮୪ଟି ପଦବୀ ପୂରଣ ପାଇଁ ଚଳିତମାସ ସୁଦ୍ଧା ନିଯୁକ୍ତି ଏଜେନ୍ସୀକୁ ରିକ୍ୟୁଜିସନ୍ ପଠାଇବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

ସେହିପରି ଖାଲି ପଡ଼ିଥିବା ସମସ୍ତ ମୂଳ ସରକାରୀ ପଦବୀକୁ ପୂରଣ ନିମନ୍ତେ ନିଯୁକ୍ତି ଏଜେନୀଗୁଡ଼ିକୁ ଆସନ୍ତା ଅକ୍ଟୋବର ସୁଦ୍ଧା ସମସ୍ତ ବିଭାଗ ଦ୍ୱାରା ରିକ୍ୟୁଜିସନ୍ ନିଶ୍ଚିତ ଭାବେ ପଠାଯିବ ଓ ସମ୍ପୃକ୍ତ ନିଯୁକ୍ତି ଏଜେନ୍ସୀଗୁଡ଼ିକ ଡିସେମ୍ବର ସୁଦ୍ଧା ଏସବୁ ପଦବୀ ନିମନ୍ତେ ବିଜ୍ଞାପନ ଜାରି କରିବେ ବୋଲି ସରକାରଙ୍କ ପକ୍ଷରୁ ପ୍ରସ୍ତୁତ ଆକ୍ସନ ପ୍ଲାନରୁ ଜଣାପଡ଼ିଛି । ତେବେ ଯେଉଁ ୪୦୨୫୬ଟି ମୂଳ ପଦବୀକୁ ଏପର୍ଯ୍ୟନ୍ତ କ୍ଷମତାପ୍ରାପ୍ତ କମିଟିଙ୍କ ଅନୁମୋଦନ ମିଳିନାହିଁ ସେଥିରେ ସ୍କୁଲ ଓ ଗଣଶିକ୍ଷା ବିଭାଗର ସର୍ବାଧିକ ୧୬୭୩୮ଟି ପଦବୀ, ଗୃହ ବିଭାଗର ୬୧୫୦ଟି ପଦବୀ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣର ୪୬୧୨ଟି ପଦବୀ, କୃଷି ଓ କୃଷକକଲ୍ୟାଣ ବିଭାଗର ୨୦୫୦ଟି, ଉଚ୍ଚଶିକ୍ଷା ବିଭାଗର ୧୬୯୩ଟି ପଦବୀ ରହିଛି । କେବଳ ସେତିକି ନୁହେଁ ସେପ୍ଟେମ୍ବରରୁ ଡିସେମ୍ବର ମାସ ମଧ୍ୟରେ ରାଜ୍ୟ ସରକାର ମୋଟ ୪୬ଟି ନିଯୁକ୍ତି ମେଳା ଆୟୋଜନ କରି ନିଯୁକ୍ତି ଏଜେନ୍ସୀଗୁଡ଼ିକ ଦ୍ୱାରା ୩୪୬୮୬ଟି ସରକାରୀ ପଦବୀ ପାଇଁ ଯୋଗ୍ୟ ବିବେଚିତ ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ବାଂଟିବେ ବୋଲି ଜଣାପଡ଼ିଛି । ଏଥିରେ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା-୨୦୨୨ରେ କୃତକାର୍ଯ୍ୟ ୬୮୩ଟି ପଦବୀ, ଟିଜିଟି ଟିଚର(ଆର୍ଟସ) ୯୧୨ଟି ପଦବୀ, ୩୦୦ କନେଷ୍ଟବଳ(କମ୍ୟୁନିକେସନ), ୪୮ଜଣ ଜୁନିୟର ଏମଭିଆଇ, ୧୯୬ଜଣ ମାଇନିଂ ଅଫିସର, ୬ଟି ସିଧାସଳଖ ଡିଏସପି ପଦବୀ, ୬୦୯ଜଣ ପୁଲିସ ଏସଆଇ,ବିଭିନ୍ନ ବାଟାଲିୟନ ପାଇଁ ୧୫୧୩ଜଣ କନେଷ୍ଟବଳ, ୨୭୧୨ଜଣ ପ୍ରାଣୀଧନ ନିରୀକ୍ଷକ,ଫରେଷ୍ଟର ଓ ଫରେଷ୍ଟ ଗାର୍ଡ, ୫୬୯ଜଣ କ୍ଲାସିକାଲ ଟିଚର ଆଦି ପାଇଁ ନିଯୁକ୍ତି ମେଳା ଆୟୋଜନ ହେବ ବୋଲି ସୂଚନା ମିଳିଛି ।

Please follow and like us:

Leave a Reply

Your email address will not be published. Required fields are marked *