ଆଜି ଭକ୍ତମାନଙ୍କ ପାଇଁ ଶ୍ରୀମନ୍ଦିର ପ୍ରବେଶ ଉପରେ କଟକଣା କରାଯାଇଛି। ସକାଳ ୮ଟାରୁ ଆଉ ଭକ୍ତଙ୍କୁ ମନ୍ଦିର ଭିତରକୁ ଛଡ଼ାଯିବନି। ଆଜି ଖୋଲାଯିବ ଶ୍ରୀମନ୍ଦିରର ଭିତର ରତ୍ନ ଭଣ୍ଡାର। ପ୍ରାୟ ୫ ଦଶନ୍ଧି ପରେ ଭିତର ରତ୍ନଭଣ୍ଡାରର ଦିବ୍ୟ ଅଳଙ୍କାରକୁ ଦେଖିବ ଚର୍ମଚକ୍ଷୁ।। ଖୋଲିବ ରାଜରାଜୁଡ଼ା ଅମଳର ପ୍ରାଚୀନ ସିନ୍ଦୁକ ଓ ଆଲମିରା ଶୁଭ ସମୟ ସକାଳ ୯ଟା ୫୧ରୁ ଦିନ ୧୨ଟା ୧୫ ମଧ୍ୟରେ ଖୋଲାଯିବ ଭିତର ରତ୍ନଭଣ୍ଡାର। SOP ମୁତାବକ ୧୧ ଜଣିଆ ଅଧିକୃତ ଟିମ୍ ଜିଲ୍ଲା ଟ୍ରେଜେରିରୁ ଚାବି ଆଣି ଭିତର ରତ୍ନଭଣ୍ଡାରରେ ପଡ଼ିଥିବା ୨ଟି ନୂଆ ତାଲା ଖୋଲିବେ। କେହି କୌଣସି ଧାତବ ପଦାର୍ଥ କିମ୍ବା ସୁନା ଅଳଙ୍କାର ପିନ୍ଧିତା’ ଭିତରକୁ ଯିବେ ନାହିଁ। ଭିତର ଭଣ୍ଡାର ତାଲା ଖୋଲାଯାଇ ସିନ୍ଦୁକ ଓ ଆଲମାରୀରେ ଥିବା ଅଳଙ୍କାର ଗୁଡ଼ିକୁ ସୁରକ୍ଷିତ ଭାବେ ଖଟଶେଯ ଘରେ ଅସ୍ଥାୟୀ ଷ୍ଟ୍ରଙ୍ଗରୁମକୁ ସ୍ଥାନାନ୍ତର କରାଯିବ। ସମସ୍ତ ସ୍ଥାନାନ୍ତରଣ ପ୍ରକ୍ରିୟାର ଭିଡିଓଗ୍ରାଫି କରାଯିବ।ସ୍ଥାନାନ୍ତରଣ ପରେ ଅସ୍ଥାୟୀ ରତ୍ନଭଣ୍ଡାର ତାଲାକୁ ଜଉମୁଦ ସିଲ୍ କରାଯିବ ଏବଂ ଚାବିକୁ ପୁଣି ଟ୍ରେଜେରୀରେ ରଖାଯିବ। ଏହା ପରେ ଯାଇ ରତ୍ନଭଣ୍ଡାର ମରାମତି ଆରମ୍ଭ କରିବ ASI।
ଆଜି ଖୋଲିବ ଭିତର ରତ୍ନଭଣ୍ଡାର: ସକାଳ ୮ଟାରୁ ଆଉ ଭକ୍ତଙ୍କୁ ମନ୍ଦିର ଭିତରକୁ ଛଡ଼ାଯିବନି।
