ଆମେରିକା ରାଜନୀତି: ରାଷ୍ଟ୍ରପତି ଦୌଡ଼ରୁ ଓହରିଲେ ବାଇଡେନ୍‌

on6
Please follow and like us:

ୱାସିଂଟନ: ରାଷ୍ଟ୍ରପତି ଜୋ ବାଇଡେନ୍‌ ୨୦୨୪ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଦୌଡ଼ରୁ ଆଜି ଓହରି ଯାଇଛନ୍ତି। ଡେମୋକ୍ରାଟିକ ଦଳ ଚଳିତ ନିର୍ବାଚନ ପାଇଁ ଆନୁଷ୍ଠାନିକ ଭାବେ ପ୍ରାର୍ଥୀ ଘୋଷଣା କରିବା ପୂର୍ବରୁ ୮୧ ବର୍ଷୀୟ ବାଇଡେନ ପୁନଃ ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବେ ନାହିଁ ବୋଲି ସୋସିଆଲ ମିଡିଆ ପ୍ଲାଟଫର୍ମରେ ଘୋଷଣା କରିଛନ୍ତି। ଦଳର ବରିଷ୍ଠ ନେତାମାନ ବାଇଡେନ ଓହରିଯିବା ଚାହୁଥିଲେ ଏବଂ ସପ୍ତାହେ ହେଲା ଏଥିପାଇଁ ପ୍ରବଳ ଚାପ ସୃଷ୍ଟି କରିଥିଲେ। ଏପରିକି ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ମଧ୍ୟ ବାଇଡେନ ଓହରିଯାଆନ୍ତୁ ବୋଲି ଖୋଲାଖୋଲି ବୟାନ ଦେଇ ଅଡ଼ୁଆ ସୃଷ୍ଟି କରିଥିଲେ। ଏଥିରେ କ୍ଷୁବ୍ଧ ହୋଇ ବାଇଡେନ ଗତକାଲି ଘୋଷଣା କରିଥିଲେ ଯେ ରାଷ୍ଟ୍ରପତି ନିର୍ବାଚନ ଦୌଡ଼ରେ ସେ ଶେଷ ପର୍ଯ୍ୟନ୍ତ ରହିବେ। ତେବେ ଆଜି ବାଇଡେନଙ୍କୁ କିଛି ପରିବାର ସଦସ୍ୟ ଓ ବରିଷ୍ଠ ନେତା ମିଳିତ ଭାବେ ନିର୍ବାଚନ ଦୌଡ଼ରୁ ଓହରିଯିବାକୁ ପରାମର୍ଶ ଦେବାପରେ ବାଇଡେନ ଏହାକୁ ଗ୍ରହଣ କରିନେଇଥିଲେ ।

ଆଜି ‘ଏକ୍ସ’ରେ ଏକ ବିବୃତି ଦେଇ ସେ କହିଛନ୍ତି, ନିର୍ବାଚନରୁ ଓହରିଯିବା ଲାଗି ମୋର ଇଚ୍ଛା ନଥିଲା। କିନ୍ତୁ ଦଳ ଏବଂ ଆମେରିକାର ବୃହତ୍ ସ୍ବାର୍ଥ ଦୃଷ୍ଟିରୁ ‌ରାଷ୍ଟ୍ରପତି ଦୌଡ଼ରୁ ଓହରିଯାଉଛି। ଉପରାଷ୍ଟ୍ରପତି କମଳା ହାରିସଙ୍କୁ ଦଳ ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ କରିବା ଲାଗି ସେ ସୁପାରିସ କରିଛନ୍ତି।
ସୂଚନାଯୋଗ୍ୟ ଯେ ରିପବ୍ଲିକାନ ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଲୋକପ୍ରିୟତତା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ନିକଟରେ ତାଙ୍କ ଉପରେ ଗୁଳିମାଡ଼ ଘଟଣା ତାଙ୍କ ପ୍ରତି ଦେଶବ୍ୟାପୀ ସମବେଦନାର ଏକ ଲହର ସୃଷ୍ଟି କରିଛି। ଏଭଳି ସ୍ଥିତିରେ ବାଇଡେନ ଟ୍ରମ୍ପ୍‌ଙ୍କୁ ଆଉ ମୁକାବିଲା କରିବା ସ୍ଥିତିରେ ନାହାନ୍ତି ବୋଲି ନିଜ ଦଳର ଅନେକ ନେତାଙ୍କ ବୟାନ ବାଇଡେନଙ୍କ ସମସ୍ୟା ବଢ଼ାଇ ଦେଇଥିଲା। ଏହାସହିତ ବାର୍ଦ୍ଧକ୍ୟଜନିତ ସ୍ବାସ୍ଥ୍ୟ ସମସ୍ୟା ମଧ୍ୟ ବାଇଡେନଙ୍କ ପାଇଁ ପ୍ରତିଦିନ ଅଡ଼ୁଆ ସୃଷ୍ଟି କରୁଥିଲା। ଗୁରୁତର ସ୍ମୃତି ବିଭ୍ରାଟ ଯୋଗୁଁ ସେ ବିଭିନ୍ନ ମଞ୍ଚରେ ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହେଉଥିବା ନଜିର ରହିଛି ଏହା ଦଳ ପାଇଁ ମଧ୍ୟ ଚିନ୍ତାର କାରଣ ପାଲଟିଥିଲା।

ଗତ ଜୁନ୍ ମାସରେ ସିଏନ୍ଏନ୍ ଚ୍ୟାନେଲ ପକ୍ଷରୁ ଆୟୋଜିତ ରାଷ୍ଟ୍ରପତି ବିତର୍କରେ ବାଇଡେନଙ୍କ ପ୍ରଦର୍ଶନ ବହୁତ ଖରାପ ରହିଥିଲା ଏବଂ ଏହାର ସିଧାସଳଖ ଫାଇଦା ଟ୍ରମ୍ପ୍‌ ଉଠାଇଥିଲେ। ଏଭଳି ସ୍ଥିତିରେ ନଭେମ୍ବରରେ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନରେ ସେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ପରାସ୍ତ କରିବା ଅସମ୍ଭବ ବ୍ୟାପାର ବୋଲି ବରିଷ୍ଠ ଡେମୋକ୍ରାଟ ନେତାମାନେ ବାଇଡେନଙ୍କୁ ବୁଝାଇବାରେ ସଫଳ ହୋଇଛନ୍ତି। ଏବେ ବିକଳ୍ପ ପ୍ରାର୍ଥୀ ବାବଦରେ ଦଳର ଶୀର୍ଷ ନେତୃବୃନ୍ଦ ମନ୍ଥନ ଆରମ୍ଭ କରିଦେଇଛନ୍ତି। କୋଭିଡରେ ଆକ୍ରାନ୍ତ ବାଇଡେନ ଏବେ ଏକାନ୍ତବାସରେ ଥିବା ବେଳେ ଉପରାଷ୍ଟ୍ରପତି କମଳା ହାରିସ ପ୍ରାର୍ଥୀ ହେବା ସେ ଚାହାନ୍ତି ବୋଲି କେତେକ ମହଲ ଦାବି କରିଛନ୍ତି। ଏ ବାବଦରେ ଦୁଇ ଦିନ ମଧ୍ୟରେ ସ୍ଥିତି ସ୍ପଷ୍ଟ ହେବାକୁ ଥିବା ବେଳେ ଏହି ନୂଆ ଘଟଣାକ୍ରମ ଉପରେ ପୂରା ବିଶ୍ବର ନଜର ରହିଛି। ଆସନ୍ତା ନଭେମ୍ବର ମାସରେ ହେବାକୁ ଥିବା ରା‌ଷ୍ଟ୍ରପତି ନିର୍ବାଚନରୁ ଓହରିବା ଲାଗି ବାଇଡେନ୍‌ଙ୍କ ନିଷ୍ପତ୍ତିରେ ଆନନ୍ଦ ପ୍ରକାଶ କରିଛନ୍ତି ଟ୍ରମ୍ପ। ସେ କହିଛନ୍ତି ଯେ ନିର୍ବାଚନରେ ଏବେ କମଳା ହାରିସଙ୍କୁ ହରାଇବା ସହଜ ହେବ।

Please follow and like us:

Leave a Reply

Your email address will not be published. Required fields are marked *