ରାଜ୍ୟରେ ବନ୍ଦ ହେଲା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା, ବଦଳିଲା ‘କାଳିଆ’ 

on8
Please follow and like us:

ଭୁବନେଶ୍ବର: ରାଜ୍ୟରେ ବନ୍ଦ ହେଲା ନବୀନ ସରକାରଙ୍କ ବହୁଚର୍ଚ୍ଚିତ ‘ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା’ (BSKY) । ଏହାକୁ ବନ୍ଦ କରି,ଏହା ପରିବର୍ତ୍ତେ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଆରମ୍ଭ କରିବାକୁ ଘୋଷଣା କରିଛନ୍ତି ମୋହନ ସରକାର । ଏହା ସହ ମୋଦି ସରକାରଙ୍କ ଦ୍ବାରା ଆରମ୍ଭ ହୋଇଥିବା କେନ୍ଦ୍ରୀୟ ସ୍ବାସ୍ଥ୍ୟବୀମା ଯୋଜନା ‘ଆୟୁଷ୍ମାନ ଭାରତ’ ମଧ୍ୟ ରାଜ୍ୟରେ କାର୍ଯ୍ୟକାରୀ ହୋଇଛି । ଆଜି ବଜେଟ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଘୋଷଣା କରିଛନ୍ତି । ଏହା ସହକାଳିଆ ଯୋଜନାର ନାମ ପରିବର୍ତ୍ତନ କରାଯାଇଛି । ନବୀନ ସରକାର କୃଷକଙ୍କ ପାଇଁ ଆରମ୍ଭ କରିଥିବା କାଳିଆ ଯୋଜନାକୁ ବନ୍ଦ କରିନଥିଲେ ସୁଦ୍ଧା ଏହାର ନାମ ପରିବର୍ତ୍ତନ କରାଯାଇଛି । ଏହା ଏବେଠାରୁ ‘ସିଏମ କିଷାନ ଯୋଜନା’ ଭାବେ ନାମିତ ହେବ ।

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁସାରେ, ରାଜ୍ୟରେ ‘ଆୟୁଷ୍ମାନ ଭାରତ’ କାର୍ଯ୍ୟକାରୀ ହେଲା । ଏହି କେନ୍ଦ୍ରୀୟ ଯୋଜନାରୁ ବାଦ ପଡୁଥିବା ବ୍ୟକ୍ତି କିମ୍ବା ପରିବାରକୁ ରାଜ୍ୟ ସରକାରଙ୍କ ‘ଗୋପବନ୍ଧୁ ସ୍ବାସ୍ଥ୍ୟବୀମା ଯୋଜନା’ରେ ଅନ୍ତର୍ଭୁକ୍ତ କରାଯିବ । ଏହି ରାଜ୍ୟ ସ୍ବାସ୍ଥ୍ୟବୀମା ଯୋଜନା ଅନ୍ତର୍ଗତ ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ ହସ୍ପିଟାଲରେ କ୍ୟାସଲେସ ଆକାରରେ ସ୍ବାସ୍ଥ୍ୟସେବା ଉପଲବ୍ଧ କରାଯିବା ନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ।

2018ରେ କାର୍ଯ୍ୟକାରୀ ହୋଇଥିଲା BSKY:-

ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁସାରେ, ରାଜ୍ୟରେ 2018 ଅଗଷ୍ଟରେ ଏହି ଯୋଜନା କାର୍ଯ୍ୟକାରୀ ହେବା ପରେ ଏପର୍ଯ୍ୟନ୍ତ 4.79 କୋଟି ହିତାଧିକାରୀ ଏଥିରେ ପଞ୍ଜୀକୃତ ହୋଇସାରିଛନ୍ତି । ରାଜ୍ୟର 119.5 ଲକ୍ଷ ପରିବାର ଏହି ଯୋଜନାର ହିତାଧିକାରୀ ରହିଛନ୍ତି । ଏହି ଯୋଜନାରେ ଏପର୍ଯ୍ୟନ୍ତ 3.56 କୋଟି କାର୍ଡଧାରୀ ରହିଛନ୍ତି । ରାଜ୍ୟର ମୋଟ 9ହଜାର 5ଶହ ହସ୍ପିଟାଲରେ ଏହି ଯୋଜନା କାର୍ଯ୍ୟକାରୀ କରାଯାଇଛି । ସେଥିମଧ୍ୟରୁ 8 ହଜାର 5ଶହ 30ଟି ସରକାରୀ ହସ୍ପିଟାଲ ଓ ଅବଶିଷ୍ଟ 979ଟି ଘରୋଇ ହସ୍ପିଟାଲ ରହିଛି । ବର୍ତ୍ତମାନ ସୁଦ୍ଧା 2.73 କୋଟି ଚିକିତ୍ସା ମାମଲାରେ ଏହି କାର୍ଡ ବ୍ୟବହାର କରାଯାଇଛି । ଏହି ଯୋଜନାରେ ଅନ୍ତର୍ଭୁକ୍ତ ପରିବାରକୁ ବାର୍ଷିକ 5 ଲକ୍ଷ ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି । ଏହାକୁ ସେତେବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ କରିଥିଲେ । ଏହି ଯୋଜନା କାର୍ଯ୍ୟକାରୀ ହେବା ପରେ ରାଜ୍ୟରେ କେନ୍ଦ୍ରୀୟ ଯୋଜନା ‘ଆୟୁଷ୍ମାନ ଭାରତ’ ଯୋଜନାକୁ କାର୍ଯ୍ୟକାରୀ କରିନଥିଲା ନବୀନ ସରକାର ।

ଚଳିତ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ସରକାର କ୍ଷମତାକୁ ଆସିବା ପରେ ଏହି ଚର୍ଚ୍ଚା ଆରମ୍ଭ ହୋଇଥିଲା । ନୂଆ ସରକାର ‘ବିଏସକେଓ୍ବାଇ’କୁ ବାଦ ଦେବେ ବୋଲି ଚର୍ଚ୍ଚା ହେଉଥିଲା । କିଛି ଘରୋଇ ହସ୍ପିଟାଲ କର୍ତ୍ତୃପକ୍ଷ ଓ ରୋଗୀଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ଦ୍ବନ୍ଦ୍ବ ମଧ୍ୟ ଦେଖିବାକୁ ମିଳିଥିଲା । ସେତେବେଳେ ଏହି ଯୋଜନା କାର୍ଯ୍ୟକ୍ଷମ ରହିଥିବା ସ୍ବାସ୍ଥ୍ୟ ବିଭାଗ ସ୍ପଷ୍ଟ କରିଥିଲା । ଆଜି ମୋହନ ସରକାର ପ୍ରଥମ ବଜେଟରେ ଏହାକୁ ଆନୁଷ୍ଠାନିକ ଭାବେ ବନ୍ଦ କରାଯାଉଥିବା ଓ ଏହା ପରିବର୍ତ୍ତେ ନୂତନ ଯୋଜନା କାର୍ଯ୍ୟକାରୀ କରାଯାଉଥିବା ବଜେଟ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

Please follow and like us:

Leave a Reply

Your email address will not be published. Required fields are marked *