ଏଲନ ମସ୍କଙ୍କ ଏକ୍ସକୁ ନିଷିଦ୍ଧ କଲା ବ୍ରାଜିଲ

onl3
Please follow and like us:

ବ୍ରାଜିଲିଆ: ବ୍ରାଜିଲୀୟ ସୁପ୍ରିମ୍‌କୋର୍ଟ ଶୁକ୍ରବାର ଏଲନ୍ ମସ୍କଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସକୁ ନିଷିଦ୍ଧ କରିଛନ୍ତି। ଜଷ୍ଟିସ୍ ଆଲେକଜାଣ୍ଡର ଡି ମୋରେସ ଇଣ୍ଟରନେଟ୍ ସେବା ପ୍ରଦାନକାରୀ ସଂସ୍ଥା ଓ ଆପ୍ ଷ୍ଟୋରଗୁଡ଼ିକୁ ୫ ଦିନ ମଧ୍ୟରେ ଏକ୍ସର ଆକ୍ସେସ୍ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ବ୍ଲକ୍‌କୁ ଏଡ଼ାଇବା ପାଇଁ ଭିପିଏନ୍ ବ୍ୟବହାର କରୁଥିବା ବ୍ୟକ୍ତିଙ୍କଠାରୁ ଦୈନିକ ୫୦,୦୦୦ ରିୟସ୍ (୮,୯୦୦ ଆମେରିକୀୟ ଡଲାର) ଜରିମାନା ଆଦାୟ କରିବାକୁ ମଧ୍ୟ କୋର୍ଟ ଆଦେଶ ଦେଇଛନ୍ତି।

ଅଦାଲତଙ୍କ ସମସ୍ତ ଆଦେଶ ପାଳନ ନ କରିବା ଏବଂ ବକେୟା ଜରିମାନା ପୈଠ ନ କରିବା ପର୍ଯ୍ୟନ୍ତ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସକୁ ତୁରନ୍ତ ସମ୍ପୂର୍ଣ୍ଣ ନିଲମ୍ବନ କରିବାକୁ ଆଲେକଜାଣ୍ଡର ଡି ମୋରେସ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ମୋରେସ କହିଛନ୍ତି ଯେ ଏକ୍ସ ଭୁଲ ସୂଚନା ପ୍ରସାରଣ କରିଥିବା ଆକାଉଣ୍ଟଗୁଡ଼ିକୁ ବନ୍ଦ କରିବା ଉଚିତ – ଯେଉଁଗୁଡ଼ିକ ଅଧିକାଂଶ ପୂର୍ବତନ ଦକ୍ଷିଣପନ୍ଥୀ ରାଷ୍ଟ୍ରପତି ଜାଇର ବୋଲସୋନାରୋଙ୍କ ସମର୍ଥକଙ୍କର। ଜଷ୍ଟିସ୍ ଡି ମୋରେସ ପୂର୍ବରୁ ମସ୍କଙ୍କୁ ଚେତାବନୀ ଦେଇ କହିଥିଲେ ଯେ ଯଦି କମ୍ପାନି ସ୍ଥାନୀୟ ପ୍ରତିନିଧି ନିଯୁକ୍ତ କରିବାର ନିର୍ଦ୍ଦେଶାବଳୀ ପାଳନ ନ କରେ ତେବେ ଏକ୍ସକୁ ନିଷିଦ୍ଧ କରାଯାଇପାରେ।

ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶର ଜବାବରେ ଏକ୍ସର ଗ୍ଲୋବାଲ ଗଭର୍ଣ୍ଣାନ୍ସ ଆଫେୟାର୍ସ ଟୁଇଟ୍ କରି କହିଛି ଯେ ଆଲେକଜାଣ୍ଡର ଡି ମୋରେସ ବ୍ରାଜିଲରେ ଥିବା ସେମାନଙ୍କ ଆଇନଗତ ପ୍ରତିନିଧିଙ୍କୁ ଧମକ ଦେଇଛନ୍ତି ଯେ ଯଦି କମ୍ପାନି ତାଙ୍କ ସେନ୍ସରସିପ୍ ନିର୍ଦ୍ଦେଶ ପାଳନ ନ କରେ ତେବେ ତାଙ୍କୁ ଗିରଫ କରାଯିବ। ଏହା ପୂର୍ବରୁ ଗୁରୁବାର ସୁପ୍ରିମ୍‌କୋର୍ଟ ମସ୍କଙ୍କ ଷ୍ଟାର୍‌ଲିଙ୍କ ସାଟେଲାଇଟ୍ ଇଣ୍ଟରନେଟ୍ କମ୍ପାନିର ସ୍ଥାନୀୟ ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ୍ କରିଥିଲେ। ବ୍ରାଜିଲର ସାର୍ବଭୌମତ୍ବ ଓ ନ୍ୟାୟପାଳିକା ପ୍ରତି ସମ୍ମାନର ଅଭାବ ଦେଖାଉଥିବା ମସ୍କଙ୍କୁ ମୋରେସ ସମାଲୋଚନା କରିବା ସହ ସେ ଦେଶର ଆଇନଠାରୁ ଊର୍ଦ୍ଧ୍ୱରେ ଥିବା ଭଳି କାର୍ଯ୍ୟ କରୁଥିବା ଅଭିଯୋଗ କରିଛନ୍ତି। ଏହାର ଜବାବରେ ମସ୍କଙ୍କ ପ୍ଲାଟଫର୍ମ ବିଚାରପତିଙ୍କ ‘ସେନ୍ସରସିପ୍’ ବିରୋଧରେ ବ୍ରାଜିଲରେ ଥିବା ଏହାର ସମସ୍ତ କାର୍ଯ୍ୟାଳୟକୁ ବନ୍ଦ କରିଦେଇଥିଲା। ଏହି ବନ୍ଦ ସତ୍ତ୍ୱେ ଏହି ପ୍ଲାଟଫର୍ମର ସେବା ଦେଶର ଉପଭୋକ୍ତାମାନଙ୍କ ପାଇଁ ଉପଲବ୍ଧ ରହିଛି। ‘ଫେକ୍ ନ୍ୟୁଜ୍’ ଏବଂ ଘୃଣ୍ୟ ଭାଷଣ ପ୍ରସାର ଅଭିଯୋଗରେ କେତେକ ଆକାଉଣ୍ଟକୁ ବନ୍ଦ କରିବା ପାଇଁ ଏକ୍ସ ଅଦାଲତଙ୍କ ଆଦେଶ ପାଳନ କରିବାରେ ବିଫଳ ହେବା ପରେ ଜଷ୍ଟିସ୍ ଡି ମୋରେସ୍ ଏହି ନିର୍ଦ୍ଦେଶ ଦେଇଛନ୍ତି। ବାକ୍ ସ୍ୱାଧୀନତା ହେଉଛି ଗଣତନ୍ତ୍ରର ମୂଳଦୁଆ ଏବଂ ବ୍ରାଜିଲରେ ଜଣେ ଅନିର୍ବାଚିତ ବିଚାରପତି ଏହାକୁ ରାଜନୈତିକ ଉଦ୍ଦେଶ୍ୟରେ ନଷ୍ଟ କରୁଛନ୍ତି ବୋଲି ମସ୍କ ଅଭିଯୋଗ କରିଛନ୍ତି।

Please follow and like us:

Leave a Reply

Your email address will not be published. Required fields are marked *