‘ସୁଭଦ୍ରା’ ଯୋଜନା ଟଙ୍କା ପାଇବାକୁ ଭିନେ ହେଉଛନ୍ତି ଭାଇ, ବାପାଠୁ ଅଲଗା ହେଉଛି ପୁଅ

6
Please follow and like us:

ଭୁବନେଶ୍ୱର : ଆସନ୍ତା ସେପ୍ଟେମ୍ବର ୧୭ ତାରିଖରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ଓଡ଼ିଶାରେ ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ ହେବ। ଏହି ଯୋଜନାରେ ଯୋଗ୍ୟ ହିତାଧିକାରୀମାନଙ୍କୁ ୫୦ ହଜାର ଟଙ୍କା ଲେଖାଏଁର ଭାଉଚର୍‌ ମିଳିବ। ନିର୍ବାଚନୀ ଇସ୍ତାହାରରେ ବିଜେପି ଏହି ପ୍ରତିଶ୍ରୁତି ଦେଇଥିବା ବେଳେ ରାଜ୍ୟରେ ସରକାର ଗଢ଼ିବା ପରେ ନିକଟ ଅତୀତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଯୋଜନାର ଶୁଭାରମ୍ଭ ତାରିଖ ସଂପର୍କରେ ଘୋଷଣା କରିଛନ୍ତି।

ଏହାକୁ ନେଇ ରାଜ୍ୟର ପ୍ରତ୍ୟେକ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଉତ୍କଣ୍ଠା ବଢ଼଼ୁଥିବା ଦେଖିବାକୁ ମିଳୁଛି। କିନ୍ତୁ ଯୋଜନାର ରୂପରେଖ, ହିତାଧିକାରୀ ହେବା ପାଇଁ ଯୋଗ୍ୟତା ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ବିଷୟରେ ସରକାରୀସ୍ତରରେ କୌଣସି ଘୋଷଣା କିମ୍ବା ବିଜ୍ଞପ୍ତି ପ୍ରକାଶ ପାଇନଥିବା ବେଳେ ବିଭିନ୍ନ ସାମାଜିକ ଗଣମାଧ୍ୟମ, କିଛି ବେନାମୀ ୱେବ୍‌-ଚ୍ୟାନେଲ୍‌ରେ ହେଉଥିବା ଭ୍ରାନ୍ତି ପ୍ରଚାର ଆଧାରରେ ହିତାଧିକାରୀ ହେବା ପାଇଁ ବହୁ ମହିଳା ଏବେଠାରୁ ଆଗୁଆ ପ୍ରସ୍ତୁତି ଆରମ୍ଭ କରିଦେଲେଣି। ଫଳରେ ଆର୍ଆଇ ଅଫିସ୍‌ଠାରୁ ଆରମ୍ଭ କରି ଜନସେବା କେନ୍ଦ୍ରଗୁଡ଼ିକରେ ଭିଡ଼ ବଢ଼ିବାରେ ଲାଗିଛି। ଏହାର ସୁଯୋଗ ନେଇ କିଛି ଦଲାଲ ଏବେ ସକ୍ରିୟ ହୋଇଉଠିଛନ୍ତି। ଜଲ୍‌‌ଦି ଆୟ ପ୍ରମାଣପତ୍ର କରିଦେବା ଓ ଆବେଦନ କରିବା ପାଇଁ ସେମାନେ ମହିଳାଙ୍କଠାରୁ ୫ଶହରୁ ୧୦୦୦ ଟଙ୍କା ପର୍ଯ୍ୟନ୍ତ ଅଗ୍ରିମ ନେଇ ଯାଉଛନ୍ତି।

ବିଶେଷକରି ଆୟ ପ୍ରମାଣପତ୍ର ପାଇଁ ରାଜସ୍ୱ ନିରୀକ୍ଷକ ଅଫିସ୍‌‌ରେ ଭିଡ଼ ଜମୁଛି। ସେହିପରି ଯୋଜନାରେ ଆବେଦନ କରିବା ପାଇଁ ମୋ ସେବା କେନ୍ଦ୍ର ଓ ଗ୍ରାହକ ସେବା କେନ୍ଦ୍ରଗୁଡ଼ିକରେ ଭିଡ଼ ପରିଲକ୍ଷିତ ହେଉଛି। ମହିଳାଙ୍କ ସ୍ବାମୀମାନେ ରାସନ୍‌କାର୍ଡ, ବ୍ୟାଙ୍କ ଖାତା, ଆଧାର କାର୍ଡ, ଠିକଣା ପ୍ରମାଣପତ୍ର, ଫଟୋ ଓ ଆୟ ପ୍ରମାଣପତ୍ର ଧରି ଏହି କେନ୍ଦ୍ରଗୁଡ଼ିକରେ ପହଞ୍ଚି ଯାଉଛନ୍ତି। ଗରିବଙ୍କଠାରୁ ଆରମ୍ଭ କରି ମଧ୍ୟବିତ୍ତ ମହିଳାମାନଙ୍କ ମଧ୍ୟରେ ସତେଯେମିତି ଏହାକୁ ନେଇ ଏକପ୍ରକାର ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି। ତେବେ ଏହାର ଫାଇଦା ନେଇ କିଛି ଅସାଧୁ ବ୍ୟବସାୟୀ ଲୋକଙ୍କୁ ଲୁଟିବା ଆରମ୍ଭ କରିଦେଇଥିବା ପରିଲକ୍ଷିତ ହେଉଛି। ସେମାନଙ୍କଠାରୁ ୫ଶହରୁ ୧୦୦୦ ଟଙ୍କା ପର୍ଯ୍ୟନ୍ତ ଅଗ୍ରିମ ନେଇଯାଉଛନ୍ତି।

ଏ ସମ୍ପର୍କରେ ଜଣେ ଗ୍ରାହକ ସେବା କେନ୍ଦ୍ରର ମାଲିକ କହିଛନ୍ତି, ଆବେଦନ ପାଇଁ ଆରମ୍ଭ ହୋଇନି ବୋଲି ଆମେ ମନା କରୁଥିଲେ ମଧ୍ୟ ଲୋକମାନେ ଆମ କଥାକୁ ଗ୍ରହଣ କରୁନାହାନ୍ତି। ଗୋଟିଏ କେନ୍ଦ୍ରରେ ମନା କଲେ ଆଉ ଗୋଟେ କେନ୍ଦ୍ରକୁ ଚାଲି ଯାଉଛନ୍ତି। ତେଣୁ ସରକାରଙ୍କ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ କରିବା ସହ ଲୋକଙ୍କ ଭିତରୁ ଦ୍ୱନ୍ଦ୍ୱ ଦୂର କରାଯାଉ ବୋଲି ସାଧାରଣରେ ଦାବି ହେଉଛି।

ଭିନେ ହେଉଛନ୍ତି ଭାଇ; ବାପାଠୁ ଅଲଗା ହେଉଛି ପୁଅ:-

‘ସୁଭଦ୍ରା’ ଯୋଜନାରେ ପରିବାରର ଜଣେ ମାତ୍ର ମହିଳା ଲାଭାର୍ଥୀ ହୋଇପାରିବ ବୋଲି ବିଭିନ୍ନ ମାଧ୍ୟମରେ ପ୍ରଚାର କରାଯାଉଥିବାରୁ ପରିବାରଗୁଡ଼ିକରେ ଏବେ ଭିନ୍ନ ଏକ ସମୀକରଣ ଦେଖିବାକୁ ମିଳୁଛି। ଯୋଜନାରେ ଅଧିକ ଲାଭ ପାଇବା ପାଇଁ ଭାଇ-ଭାଇ ଭିନେ ହେଉଥିବା ବେଳେ ବାପାଠୁ ପୁଅ ଅଲଗା ହେଉଛି। ପରିବାରରେ କୌଣସି ମନୋମାଳିନ୍ୟ ନଥିଲେ ମଧ୍ୟ ଯୋଜନାର ଲାଭ ପାଇବା ପାଇଁ ସରକାରୀସ୍ତରରେ ସେମାନେ ନିଜକୁ ଅଲଗା ପରିବାର ଭାବେ ଦେଖାଇବାକୁ ଜୋରସୋର୍‌ରେ ଉଦ୍ୟମ ଆରମ୍ଭ କରିଦେଇଛନ୍ତି। ଏପରିକି ଯଦି ଭବିଷ୍ୟତରେ ଏହାର ଯାଞ୍ଚ ପାଇଁ ଅଧିକାରୀମାନେ ଘରକୁ ଆସନ୍ତି, ଏହାକୁ ପ୍ରମାଣିତ କରିବା ପାଇଁ ସେମାନେ ଏବେଠୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଅଲଗା ରୋଷେଇଘର, ଜମିପଟ୍ଟା‌ରେ ନାମ ପରିବର୍ତ୍ତନ କରିବା ପାଇଁ ବହୁ ଲୋକ ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି।

Please follow and like us:

Leave a Reply

Your email address will not be published. Required fields are marked *