କ୍ୟାପିଟାଲ ହସ୍ପିଟାଲ ନିଦାନରେ ଅବ୍ୟବସ୍ଥା: ରୋଗୀ ସଂଖ୍ୟା‌ ବଢ଼ୁଛି

onl2
Please follow and like us:

ଭୁବନେଶ୍ବର: ନୟାଗଡ଼ର ରମେଶ ସାହୁ କ୍ୟାପିଟାଲ ହସ୍ପିଟାଲର ମେଡିସିନ ବିଭାଗକୁ ରୋଗ ଦେଖାଇବାକୁ ଆସିଥିଲେ। ସେ ଡାକ୍ତରଙ୍କୁ ପୂର୍ବାହ୍ନ‌ରେ ରୋଗ ଦେଖାଇବା ପରେ ଡାକ୍ତରଙ୍କ ପରାମର୍ଶ କ୍ରମେ କ୍ୟାପିଟାଲ ହସ୍ପିଟାଲର ନିଦାନରେ ପ୍ରାୟ ୨ଟା ବେଳକୁ ପରୀକ୍ଷା ପାଇଁ ରକ୍ତ ନମୁନା ଦେଲେ। ୫ଟାରେ ଓପିଡି ବନ୍ଦ ହେବା ପୂର୍ବରୁ ସେ ୪ଟାରୁ ବ୍ଲଡ ‌ରିପୋର୍ଟ ପାଇଁ ଧାଡ଼ିରେ ଛିଡ଼ା ହେଲେ। କିନ୍ତୁ ତାଙ୍କୁ ତାଙ୍କ ରିପୋର୍ଟ ମିଳିଲା ନାହିଁ। ଏତେ ଦୂରରୁ ଆସିଛନ୍ତି ରିପୋର୍ଟ ପାଇଁ କ’ଣ ପୁଣି ଥରେ ଆସିବେ ବୋଲି ପ୍ରଶ୍ନ କରିଥିଲେ। କିନ୍ତୁ ତାଙ୍କ କଥା କେହି ଶୁଣି ନଥିଲେ। ଏହାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। କେବଳ ରମେଶ ସାହୁ ନୁହନ୍ତି ତାଙ୍କ ଭଳି ବହୁ ଲୋକ ଦୂର ଦୁରାନ୍ତରୁ ଆସୁଛନ୍ତି। ହେଲେ ଡାକ୍ତର ଦେଖାଇବା ପରେ ରିପୋର୍ଟ ନପାଇ ଫେରୁଛନ୍ତି। କିଛି ଗରିବ ଲୋକ ଘରକୁ ନଫେରି ହସ୍ପିଟାଲ ବାରଣ୍ଡାରେ ରାତି କଟାଇ ଦେଉଛନ୍ତି। ତା ପରଦିନ ରିପୋର୍ଟ ମିଳିବା ପ‌ରେ ଡାକ୍ତରଙ୍କୁ ଦେଖାଉଛନ୍ତି। ଏନେଇ ରମେଶ କହିଛନ୍ତି ଯେ ସେ ସକାଳୁ ଆସିଥିଲେ ମଧ୍ୟ ପଞ୍ଜୀକରଣ କେନ୍ଦ୍ରରେ ଧାଡ଼ି କରି ଟିକେଟ କଲେ। ସେଠାରୁ ମେଡିସିନ ବିଭାଗ ସମ୍ମୁଖରେ ଧାଡ଼ି କଲେ। ଡାକ୍ତର ଦେଖିବା ବେଳୁ ଦିନ ସାଢ଼େ ୧୨ଟା। ସେଠୁ ଆସି ନିଦାନରେ ପୁଣି ଟିକେଟ କରି ବାରକୋଡ୍ ଆଣି ଟେଷ୍ଟ କରିବା ବେଳେକୁ କେନ୍ଦ୍ର ବନ୍ଦ ହୋଇଯାଇଥିଲା। ୨ଟାରେ ଖୋଲିବା ପରେ ରକ୍ତ ଦେଇଥିଲେ। ନିଦାନରେ ଦୁଇ ଘଣ୍ଟା ମଧ୍ୟରେ ରିପୋର୍ଟ ମିଳିଯିବ କହିଥିଲେ। କିନ୍ତୁ ରିପୋର୍ଟ ସଂଗ୍ରହ କେନ୍ଦ୍ରରେ ମନା କରୁଛନ୍ତି। 

ସୂଚନାନୁସାରେ କ୍ୟାପିଟାଲ ହସ୍ପିଟାଲକୁ ଦିନକୁ ଦିନ ରୋଗୀଙ୍କ ସଂଖ୍ୟା‌ ବୃଦ୍ଧି ପାଉଛି। କିନ୍ତୁ ସେହି ତୁଳନାରେ ଭିତ୍ତିଭୂମି ବିକାଶ କରାଯାଉ ନାହିଁ। ତେଣୁ ରୋଗୀ ‌ହଇରାଣ ହେଉଛନ୍ତି। ନିଦାନରେ ସକାଳ ୯ଟାରୁ ‌ଗୋଟାଏ ଓ ଅପରାହ୍ନ ୨ଟା ରୁ ୫ଟା ପର୍ଯ୍ୟନ୍ତ ରକ୍ତ ସଂଗ୍ରହ କରାଯାଉଛି। କିନ୍ତୁ ସେଦିନ ରିପୋର୍ଟ ମିଳୁନାହିଁ। ସାମାନ୍ୟ ରକ୍ତ ପରୀକ୍ଷାର ରିପୋର୍ଟ ମିଳି ପାରୁନାହିଁ। ଏହାକୁ ନେଇ ପ୍ରାୟ ସମୟ‌ରେ ରିପୋର୍ଟ ସଂଗ୍ରହ କେନ୍ଦ୍ରରେ ଉତ୍ତେଜନା ପ୍ରକାଶ ପାଉଛି। ନିଦାନରେ ଚାପ କାରଣରୁ ଓ ଅତ୍ୟା‌ଧୁନିକ ପରୀକ୍ଷା ଯନ୍ତ୍ରପାତି ନଥିବାରୁ ଏଭଳି ବିଳମ୍ବ ହେଉଥିବା ଜଣାପଡ଼ିଛି। ଏନେଇ ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି ଯେ ସକାଳ ସମୟରେ  ଯେଉଁମାନେ ଟେଷ୍ଟ କରୁଛନ୍ତି ସେମାନେ ଅପରାହ୍ନ‌ରେ ରିପୋର୍ଟ ପାଇବେ। ଅପରାହ୍ନରେ ଯେଉଁମାନେ ଟେ‌ଷ୍ଟ କରୁଛନ୍ତି ସେମାନେ ତା’ ପରଦିନ ସକାଳୁ ରିପୋର୍ଟ ପାଇବେ। 

ରାଜ୍ୟସ୍ତରରେ ଏକ ଅତ୍ୟାଧୁନିକ ଲାବୋରେଟାରିର ଅଭାବ ରହିଛି। ଅଧିକାଂଶ ସମୟରେ ଅତ୍ୟାଧୁନିକ ପରୀକ୍ଷା ପାଇଁ ଆରଏମ୍‌ଆରସି ଉପରେ ନିର୍ଭର କରିବାକୁ ପଡ଼ୁଛି। ତେଣୁ ଆରଏମ୍‌ଆରସି ଉପରୁ ଚାପ କମାଇବା ଲାଗି କ୍ୟାପିଟାଲ ହସ୍ପିଟାଲରେ ଅତ୍ୟାଧୁନିକ ଲାବୋରେଟାରି ପ୍ରତିଷ୍ଠା କରିବା ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ‌ଯୋଜନା କରାଯିବ ସହିତ ଯାଗା ଚିହ୍ନଟ ସରିଛି। ଏଥିରେ ଭାଇରୋ‌ଲୋଜି, ପାଥୋଲୋଜି, ବାଇଓକେମିଷ୍ଟ୍ରି ଓ ଆଇଡିନ୍ ଭଳି ବିଭିନ୍ନ ପରୀକ୍ଷାର ସୁବିଧା ରହିବ। ଯେହେତୁ କ୍ୟାପିଟାଲ ହସ୍ପିଟାଲରେ ଦିନକୁ ଦିନ ରୋଗୀଙ୍କ ସଂଖ୍ୟା ବଢ଼ୁଛି ଓ ରୋଗୀମାନଙ୍କ ବିଭିନ୍ନ ପରୀକ୍ଷାର ଆବଶ୍ୟକତା ପଡ଼ୁଛି। ଏ ଦୃଷ୍ଟିରୁ ଲାବୋରେଟାରି ପାଇଁ ନମୁନା ପରୀକ୍ଷ‌ଣରେ କୌଣସି ସମସ୍ୟା ରହିବ ନାହିଁ। ସେମାନଙ୍କ ନମୁନାକୁ ମଧ୍ୟ ସଂରକ୍ଷଣ କରାଯାଇ ପାରିବ। ଏହାସହ ଜିଲ୍ଲାସ୍ତରରୁ ମଧ୍ୟ ଆବଶ୍ୟକ ପଡ଼ିଲେ ବିଭିନ୍ନ ନମୁନାକୁ ରାଜ୍ୟସ୍ତରୀୟ ଲାବୋରେଟାରିରେ ପରୀକ୍ଷା କରାଯାଇ ପାରିବ। ଏହି ଲାବୋରେଟାରି ପ୍ରତିଷ୍ଠା ପାଇଁ ସମୁଦାୟ ୨୩ କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି ଜଣାପଡ଼ିଛି।

Please follow and like us:

Leave a Reply

Your email address will not be published. Required fields are marked *