କେନ୍ଦ୍ର ବଜେଟ୍‌ ୨୦୨୪-୨୫: ରେଳବାଇକୁ ୨,୫୨,୨୦୦ କୋଟି

on5
Please follow and like us:

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ୨୦୨୪-୨୫ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍ ଘୋଷଣା କରିବା ବେଳେ ରେଳ ସମ୍ପର୍କରେ ମାତ୍ର ଥରୁଟିଏ ଆଲୋଚନା କରିଥିଲେ। ତେ‌ବେ ବଜେଟ୍ ତଥ୍ୟକୁ ଅନୁଶୀଳନ କରିବା ପରେ ଜଣାପଡ଼ିଛି ଯେ ରେଳବାଇ ଲାଗି ମୋଟ ୫,୩୭,୯୦୦ କୋଟି ଟଙ୍କାର ଅଟକଳ ପ୍ରସ୍ତୁତ କରାଯାଇଛି। ସେଥିରେ ରେଳବାଇ ରାଜସ୍ବରୁ ମୋଟ ବ୍ୟୟ ୨,୭୫,୭୦୦ କୋଟି ଟଙ୍କା ଥିବା ବେଳେ ବଜେଟ୍‌ ସହାୟତା ଓ ଅନ୍ୟାନ୍ୟ ପରିମାଣର ୨,୬୨,୨୦୦ କୋଟି ଟଙ୍କା ରହିଛି। ରେଳବାଇର ପ୍ରତି ୧୦୦ ଟଙ୍କା ଆୟ ପାଇଁ ୯୮ ଟଙ୍କା ୨୨ ପଇସା ବ୍ୟୟ କରିବ। ୨୦୨୪-୨୫ରେ ରେଳବାଇର ପରିଚାଳନା ଅନୁପାତ ୯୮.୨୨ ପ୍ରତିଶତ ରହିବ ବୋଲି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ୨୦୨୨-୨୩ରେ ଏହି ହାର ୯୮.୧୦ ପ୍ରତିଶତ ଓ ୨୦୨୩-୨୪ରେ ୯୮.୪୫ ପ୍ରତିଶତ ଥିଲା।

ବଜେଟ୍‌ ଅନୁସାରେ ରେଳବାଇ ୨,୬୫,୨୦୦ କୋଟି ଟଙ୍କାର ନିବେଶ କରିବ। ସେଥିରୁ ନୂଆ ରେଳପଥ ନିର୍ମାଣ ପାଇଁ ୩୪,୬୦୨ କୋଟି ଟଙ୍କା, ଗେଜ୍ ପରିବର୍ତ୍ତନ ପାଇଁ ୪୭୧୯‌ କୋଟି ଟଙ୍କା, ଦୋହରୀକରଣରେ ୨୯,୩୧୨ କୋଟି ଟଙ୍କା, ଟ୍ରାଫିକ୍ ସୁବିଧା-ୟାର୍ଡ ରିମଡେଲିଂରେ ୮୯୮୨ କୋଟି ଟଙ୍କା, ରୋଲିଂ ଷ୍ଟକ୍‌ରେ ୫୨,୩୧୩ କୋଟି ଟଙ୍କା, ଲିଜ୍‌ ସମ୍ପତ୍ତିର ପୁଞ୍ଜି ଉପାଦାନ ପାଇଁ ଦେୟ ବାବଦରେ ୨୩,୨୭୦ କୋଟି ଟଙ୍କା ଏବଂ ସଡ଼କ ଓଭରବ୍ରିଜ୍ ଓ ଅଣ୍ଡରବ୍ରିଜ୍ ପାଇଁ ୯୨୭୪ କୋଟି ଟଙ୍କା ଖର୍ଚ୍ଚ କରିବ। ସେହିପରି, ରେଳପଥ ନବୀକରଣରେ ୧୭,୬୫୧ କୋଟି ଟଙ୍କା, ବିଦ୍ୟୁତ୍‌କରଣରେ ୬୪୭୨ କୋଟି ଟଙ୍କା, ଅନ୍ୟାନ୍ୟ ବିଦ୍ୟୁତ୍‌କରଣ କାର୍ଯ୍ୟରେ ୧୬୮୧ କୋଟି ଟଙ୍କା, ଉତ୍ପାଦନ ୟୁନିଟ୍ ସମେତ ୱାର୍କସପ୍‌ରେ ୪୯୦୩ କୋଟି ଟଙ୍କା, କର୍ମଚାରୀ କଲ୍ୟାଣ ପାଇଁ ୮୧୫ କୋଟି ଟଙ୍କା, ଯାତ୍ରୀଙ୍କ ସୁବିଧାସୁଯୋଗ ବାବଦରେ ୧୫,୫୧୦ କୋଟି ଟଙ୍କା, ସରକାରୀ ସଂସ୍ଥାରେ ନିବେଶ ପାଇଁ ୩୨,୭୬୦ କୋଟି ଟଙ୍କା, ମେଟ୍ରୋପଲିଟାନ୍ ପରିବହନ ପ୍ରକଳ୍ପରେ ୪୦୯୦ କୋଟି ଟଙ୍କା ଏବଂ ଅନ୍ୟାନ୍ୟ ବାବଦରେ ୭୮୩୭ କୋଟି ଟଙ୍କା ବ୍ୟୟ କରିବ। ବିଭିନ୍ନ ଉତ୍ସରୁ ରେଳବାଇ ୫,୪୦,୭୦୦ କୋଟି ଟଙ୍କାର ଆୟ କରିବ ବୋଲି ବଜେଟ୍‌ରେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଯାତ୍ରୀ ପରିବହନରୁ ୮୦,୦୦୦ କୋଟି ଟଙ୍କା, ମାଲ୍ ପରିବହନରୁ ୧,୮୦,୦୦୦ କୋଟି ଟଙ୍କା, କୋଚିଂ ପ୍ରାପ୍ତି ଭାବେ ୭୫୦୦ କୋଟି ଟଙ୍କା, ସଣ୍ଡ୍ରି ରାଜସ୍ବ ୧୦,୫୦୦ କୋଟି ଟଙ୍କା, ଟ୍ରାଫିକ୍‌ ସସ୍‌ପେନ୍‌ସରୁ ୧୦୦ କୋଟି ଟଙ୍କା ମିଳିବ। ଭାରତ ସରକାରଙ୍କଠାରୁ ରେଳବାଇ ବଜେଟ୍ ସହାୟତା ଆକାରେ ୨,୫୨,୨୦୦ କୋଟି ଟଙ୍କା ପାଇବ।

Please follow and like us:

Leave a Reply

Your email address will not be published. Required fields are marked *