ନବୀନ’ଙ୍କ ‘ଛାୟା କ୍ୟାବିନେଟ୍’:

8
Please follow and like us:

ବିଜେଡି ଶାସନର ସବୁ ମଡ଼େଲକୁ ଓଡ଼ିଶାବାସୀ ବିଫଳ କରି ଦଳକୁ କ୍ଷମତାଚ୍ୟୁତ କରିବାପରେ ଆଜି ‘ଛାୟା କ୍ୟାବିନେଟ’ ଘୋଷଣା କରିଛନ୍ତି ବିଜେଡି ନେତୃତ୍ୱ । ‘ଛାୟା କ୍ୟାବିନେଟ’ର ବିଟ୍ରିଶ ମଡେଲକୁ ନକଲ କରି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଦସ୍ତଖତରେ ଦଳର ୫୦ଜଣ ବିଧାୟକଙ୍କୁ ଆଜି ବିଭାଗମାନ ବଂଟନ ହେବା ପରୋକ୍ଷରେ ଦଳରେ ଚାପି ହୋଇ ରହିଥିବା ଅସନ୍ତୋଷକୁ ଉଗ୍ର ରୂପ ଦେବାର ଆଶଙ୍କା ବଢ଼ାଇ ଦେଇଛି । ରାଜନୀତିରୁ ସନ୍ୟାସ ନେଇଥିବା ଭିକେ ପାଣ୍ଡିଆନ ଏବେବି ‘ଛାୟା ନବୀନ’ ସାଜି ଏହି ‘ଛାୟା କ୍ୟାବିନେଟ’ ଗଠନ କରିଛନ୍ତି ଯେଉଁଥିରେ ବିଜେଡି ସୁପ୍ରିମୋଙ୍କ ଭୂମିକାକୁ ହାଇଜ୍ୟାକ୍ କରାଯାଇଥିବା ଜଳଜଳ ଜଣାପଡ଼ୁଛି । ପୁଳାପୁଳା ଦୁର୍ନୀତି ମାମଲାରୁ ନିଜକୁ ସୁରକ୍ଷିତ ରଖିବା,ନବନିର୍ବାଚିତ ବିଧାୟକମାନଙ୍କୁ ତୁଷ୍ଟୀକରଣ ଓ ବରିଷ୍ଠ ନେତାମାନଙ୍କ ମୁହଁରେ ‘ତୁଣ୍ଡି’ ଲଗାଇବାକୁ ପାଣ୍ଡିଆନ ଏଭଳି ଗୋଟିଚାଳନା କରିଥିବା ଜଣାପଡ଼ିଛି । ତେବେ ବିଜେଡି ଓ ନବୀନଙ୍କ ଉପରେ ‘ପାଣ୍ଡିଆନ ଓ ତାଙ୍କ ଟିମର ଛାଇ’ ନହଟିବା ପର୍ଯ୍ୟନ୍ତ ଦଳ ଯାହାବି ମଡେଲ ଆଣିଲେ ତାହା ସଫଳ ହୋଇପାରିବ ନାହିଁ କିମ୍ବା ଦଳୀୟ ନେତାମାନେ ତାକୁ କାର୍ଯ୍ୟକାରୀ କରିବାକୁ ଆନ୍ତରିକତା ଦେଖାଇବେ ନାହିଁ ବୋଲି ରାଜନୀତିକ ବିଶେଷଜ୍ଞମାନେ ମତ ଦେଇଛନ୍ତି ।

ବିଜେଡି ସୂତ୍ର ଅନୁସାରେ, ନବୀନ ନିବାସରେ ଗତ ୩-୪ଦିନ ଧରି ଦଳର ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନ, ନବୀନଙ୍କ ରାଜନୀତିକ ସଚିବ ସନ୍ତୃପ୍ତ ମିଶ୍ର ଓ ପାଣ୍ଡିଆନଙ୍କ ‘କ୍ରୀତଦାସ’ ପ୍ରଣବପ୍ରକାଶ ଦାସ ଘନଘନ ବୈଠକ କରି ଏହି ବିଟ୍ରିଶ ମଡେଲର ‘ଛାୟା କ୍ୟାବିନେଟ’ ଓ ସାଂଗଠନିକ କମିଟିକୁ ଚୂଡ଼ାନ୍ତ କରିଥିବା ଜଣାପଡ଼ିଛି ।  ଦଳର କୌଣସି ବରିଷ୍ଠ ନେତା କିମ୍ବା ବିଧାୟକଙ୍କ ସହ ବିଚାରବିମର୍ଶ ନକରି ନବୀନଙ୍କ ନାଁରେ ଏହି ୩ଜଣ ଏଭଳି ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି । ଆଜି ଘୋଷିତ ‘ଛାୟା କ୍ୟାବିନେଟ’ରେ ଦଳର ସମସ୍ତ ବିଧାୟକଙ୍କୁ ବିଭାଗ ଆବଂଟିତ ହୋଇଥିଲେ ମଧ୍ୟ ଏହି ଛାୟା କ୍ୟାବିନେଟର ମୁଖ୍ୟ କିଏ ଓ ସେମାନଙ୍କ କାର୍ଯ୍ୟକୁ କିଏ,କେଉଁସ୍ତରରେ ତଦାରଖ କରିବେ ତାହା ଜଣାପଡ଼ିନି । ଏପରିକି ରାଜନୀତିର ‘ର’ ଅକ୍ଷର ବୁଝିନଥିବା କର୍ପୋରେଟ ଜଗତରୁ ଆସିଥିବା ସନ୍ତୃପ୍ତ ମିଶ୍ରଙ୍କ ମାଧ୍ୟମରେ ଦଳୀୟ ବିଧାୟକ ଓ ବରିଷ୍ଠ ନେତାମାନଙ୍କୁ ନିୟନ୍ତ୍ରଣରେ ରଖିବା ପାଇଁ ‘ନବୀନଙ୍କ ଛାୟା’ ସାଜି ପାଣ୍ଡିଆନ ଏବେ ରଣନୀତି କରିଛନ୍ତି । ନବୀନଙ୍କ ନାଁରେ ବିଜେଡି ଶାସନକାଳରେ ‘ଛାୟା ମୁଖ୍ୟମନ୍ତ୍ରୀ’ ଭୂମିକାରେ ଥିବା ପାଣ୍ଡିଆନ ଏବେ ‘ଛାୟା ବିରୋଧୀ ଦଳ ନେତା’ ହେବାକୁ ଅପଚେଷ୍ଟା ଆରମ୍ଭ କରିଛନ୍ତି, ଯେଉଁଥିରେ ତାଙ୍କୁ ତାଙ୍କର ‘କ୍ରୀତଦାସ’ ପ୍ରଣବପ୍ରକାଶ ଦାସ ଓ ରାଜନୀତିକ ଅନଭିଜ୍ଞ ସନ୍ତୃପ୍ତ ମିଶ୍ର ମୁଖୋଟା ସାଜିଥିବା ଜଣାପଡ଼ିଛି ।  ବିଜେଡି ଶାସନକାଳରେ ‘ଫାଇଭ-ଟି ପ୍ରଶାସନିକ ମଡେଲ’ଆଳରେ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଧୂଳିସାତ କରିବା ସହ ସମସ୍ତ କ୍ଷମତାକୁ ଏକା ଉପଭୋଗ କରିବାର ପରିଣାମ ବିଜେଡିକୁ ନିର୍ବାଚନୀ ବିପର୍ଯ୍ୟୟ ଆକାରରେ ଭୋଗିବାକୁ ପଡ଼ିଥିଲେ ମଧ୍ୟ ନବୀନ କିମ୍ବା ପାଣ୍ଡିଆନଙ୍କ ଏପର୍ଯ୍ୟନ୍ତ ଚେତା ପଶିନି ।

ତେବେ ବିଜେଡି ନିର୍ବାଚନୀ ବିପର୍ଯ୍ୟୟର ଖଳନାୟକମାନେ ଏବେବି ଦଳକୁ ନିଜ କବଜାରେ ରଖି ମନଇଚ୍ଛା ନିଷ୍ପତ୍ତି ନେଉଥିବା ଏବଂ ବିପର୍ଯ୍ୟୟର ସମୀକ୍ଷା କରୁନଥିବା ଯୋଗୁ ବିଜେଡିରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ପାଣ୍ଡିଆନ ଏଭଳି କରି ଦଳରେ ଗଣତାନ୍ତ୍ରିକ ବ୍ୟବସ୍ଥା(ଯାହା ପ୍ରାୟତଃ ନାହିଁ)କୁ ସବୁଦିନ ପାଇଁ ‘କବର’ ଦେବାକୁ ପ୍ରୟାସ କରିଛନ୍ତି । ପୁଳାପୁଳା ଦୁର୍ନୀତିର ଗଦା ଉପରେ ଛିଡ଼ା ହୋଇଥିବାର ଅଭିଯୋଗ ଥିବାରୁ ବିଜେପି ନେତୃତ୍ୱଙ୍କ କୋପରୁ ବଂଚିବା ପାଇଁ ପାଣ୍ଡିଆନ ଏଭଳି ଆତ୍ମରକ୍ଷା କୌଶଳ ଆପଣାଇଥିବା ଚର୍ଚ୍ଚା ହେଉଛି ।

Please follow and like us:

Leave a Reply

Your email address will not be published. Required fields are marked *