ରାଜ୍ୟବାସୀଙ୍କ ମୁଣ୍ଡପିଛା ଋଣ ୨୬୦୪୯ଟଙ୍କା

on1
Please follow and like us:

ରାଜ୍ୟର ପ୍ରଥମ ବିଜେପି ସରକାର ଆଜି ନିଜର ପ୍ରଥମ ବାର୍ଷିକ ବଜେଟ୍ ଉପସ୍ଥାପନ କରିବା ସହ ରାଜ୍ୟବାସୀଙ୍କୁ ଦେଇଥିବା ନିର୍ବାଚନୀ ପ୍ରତିଶ୍ରୁତିକୁ ପୂରଣ ପାଇଁ ପ୍ରୟାସ କରିଛନ୍ତି । ରାଜ୍ୟ ସରକାରଙ୍କ ବଜେଟ୍ ପୁସ୍ତିକା ଅନୁସାରେ, ୨୦୨୪ ମାର୍ଚ୍ଚ ୩୧ତାରିଖ ଶେଷ ସୁଦ୍ଧା ରାଜ୍ୟ ଉପରେ ମୋଟ ଋଣବୋଝ ୯୬୩୧୦.୪୫କୋଟି ଟଙ୍କା ରହିଛି । ଯାହାକି ରାଜ୍ୟ ସାମଗ୍ରିକ ଘରୋଇ ଉତ୍ପାଦ(ଜିଏସଡିପି)ର ୧୧.୫୬% । ସେହିପରି ଏହି ଅବଧି ମଧ୍ୟରେ ରାଜ୍ୟର ପ୍ରାୟ ୪.୬୪କୋଟି ଲୋକଙ୍କ ଉପରେ ମୁଣ୍ଡପିଛା ହାରାହାରି ୨୬୦୪୯ଟଙ୍କା ଋଣ ରହିଛି । ଅବଶ୍ୟ ଏହି ଅବଧି ମଧ୍ୟରେ ଜାତୀୟସ୍ତରରେ ପ୍ରତ୍ୟେକ ଭାରତୀୟଙ୍କ ମୁଣ୍ଡପିଛା ଋଣବୋଝ ପରିମାଣ ୫୯୭୦୭ଟଙ୍କା ରହିଥିବା ଜଣାପଡ଼ିଛି । ଆଉ ଚଳିତ ଆର୍ଥିକ ବର୍ଷ ଶେଷ ବେଳକୁ ଋଣବୋଝ ରାଜ୍ୟ ଜିଡିପିର ୧୩.୫୬% (୧୨୫୫୫୦ କୋଟି ଟଙ୍କା) ରହିବ ଓ ମୁଣ୍ଡପିଛା ରୁଣ ୨୬୬୫୬ ଟଙ୍କା ରହିବ ବୋଲି ଆକଳନ ହୋଇଛି। ତେଣୁ ୨୦୨୪-୨୫ ଆର୍ଥିକ ବର୍ଷର ବଜେଟ୍ ସମ୍ପୂର୍ଣ୍ଣ ଭାବେ ଏଫଆରବିଏମ୍ ଆକ୍ଟକୁ ପରିପାଳନ କରୁଛି ବୋଲି ସରକାରଙ୍କ ପକ୍ଷରୁ ଦର୍ଶାଯାଇଛି। ରାଜ୍ୟ ଉପରେ ଥିବା ମୋଟ୍ ଋଣରେ ୨୧୮୦୮କୋଟି ଟଙ୍କା ଭାରତ ସରକାରଙ୍କଠୁ, ୧୬୪୦୧.୩୨କୋଟି ଟଙ୍କା ଖୋଲା ବଜାରରୁ ଓ କାମ୍ପା-ଓଏମପିଏଡିସି ପାଣ୍ଠିରୁ ୧୦୫୨୪.୯୨ କୋଟି ଟଙ୍କା ଋଣ ଆଣିଥିବା ଜଣାପଡ଼ିଛି। ତେବେ ରାଜ୍ୟ ଉପରେ ଥିବା ଏହି ଋଣ ପରିମାଣ ଏଫଆରବିଏମ୍ ଆକ୍ଟ-୨୦୦୫ର ପ୍ରାବଧାନ ଓ ପଂଚଦଶ ଅର୍ଥ କମିଶନଙ୍କ ଗାଇଡଲାଇନ୍ ଅନୁସାରେ ରାଜ୍ୟ ସାମଗ୍ରିକ ଘରୋଇ ଉତ୍ପାଦର ୨୫% ମଧ୍ୟରେ ସୀମିତ ରହିଛି। 

 ସବୁବର୍ଗର ଲୋକଙ୍କୁ ସନ୍ତୁଷ୍ଟ କରିବା ସହ ବିକଶିତ ଓଡ଼ିଶା ନିମନ୍ତେ ୨.୬୫ଲକ୍ଷ କୋଟି ଟଙ୍କାର  ସମତୁଲ ବଜେଟକୁ ଆଜି ବିଧାନସଭାରେ ଉପସ୍ଥାପନ କରିଛନ୍ତି । ତେବେ ୨୦୨୪ ମାର୍ଚ୍ଚ ୩୧ତାରିଖ ସୁଦ୍ଧା ରାଜ୍ୟ ଉପରେ ୯୬୩୧୦.୪୫କୋଟି ଟଙ୍କାର ଋଣବୋଝ ଥିବାବେଳେ ମୋହନ ମାଝୀଙ୍କ ସରକାର ଚଳିତ ବଜେଟରେ ଆଉ ୪୩୪୯୫ କୋଟି ଟଙ୍କା (୧୬.୦୪%)ର ଋଣ ଆଣିବା ପାଇଁ ଲକ୍ଷ୍ୟଧାର୍ଯ୍ୟ କରିଛନ୍ତି। ଏପଟେ ରାଜ୍ୟର ହାରାହାରି ୪.୬୪କୋଟି ଲୋକଙ୍କ ଉପରେ ମୁଣ୍ଡପିଛା ୨୬୦୪୯ଟଙ୍କା ଋଣ ରହିଥିବା ଜଣାପଡ଼ିଛି

Please follow and like us:

Leave a Reply

Your email address will not be published. Required fields are marked *