ଷ୍ଟକ୍ ବଜାର‌ରେ ଝଡ଼: ଉଡ଼ିଗଲା ୧୭ ଲକ୍ଷ କୋଟି

onl1
Please follow and like us:

ମୁମ୍ବାଇ: ଆମେରିକା ଅର୍ଥନୀତି ପ୍ରତି ମାନ୍ଦାବସ୍ଥା ବିପଦ ଏବଂ ଇରାନ୍ ଓ ଇସ୍ରାଏଲ୍‌ ମଧ୍ୟରେ ଯୁଦ୍ଧ ଆଶଙ୍କା ସାରା ବିଶ୍ବର ଷ୍ଟକ୍ ବଜାରକୁ ଦୋହଲାଇ ଦେଇଛି। କେବଳ ଭାରତ ନୁହେଁ, ବିଶ୍ବର ପ୍ରାୟ ସବୁ ପ୍ରମୁଖ ଷ୍ଟକ୍ ବଜାରରେ ନିବେଶକମାନେ କ୍ଷତି ସହିଛନ୍ତି। ବହୁ ନିବେଶକ ଭୟଭୀତ ହୋଇ ନିଜ ପାଖରେ ଥିବା ସେୟାର ବିକ୍ରି କରିଛନ୍ତି। ଆମେରିକାରୁ ଆରମ୍ଭ ହୋଇଥିବା ଏହି ଝଡ଼ ଜାପାନ, ଅଷ୍ଟ୍ରେଲିଆ, ଦକ୍ଷିଣ କୋରିଆ, ଭାରତ ଆଦି ଦେଶକୁ ବ୍ୟାପିଛି। ଝଡ଼ର ମାତ୍ରା ଏତେ ବ୍ୟାପକ ଓ ପ୍ରଭାବଶାଳୀ ଥିଲା ଯେ ନିବେଶକମାନଙ୍କର କୋଟି କୋଟି ଟଙ୍କା ଉଡ଼ିଯାଇଛି। କେବଳ ଭାରତରେ ନିବେଶକମାନେ ପ୍ରାୟ ୧୭ ଲକ୍ଷ କୋଟି ଟଙ୍କାର କ୍ଷତି ସହିଛନ୍ତି। ସାରା ବିଶ୍ବର ଷ୍ଟକ୍ ବଜାର ପାଇଁ ଆଜି ଦିନଟି ‘କଳା ସୋମବାର’ ସାବ୍ୟସ୍ତ ହୋଇଛି।

ଭାରତରେ ଉଭୟ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ଓ ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜ ଏହି ଝଡ଼ ଦ୍ବାରା ପ୍ରଭାବିତ ହୋଇଛନ୍ତି। ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନ୍‌ସେକ୍ସ ୨,୨୨୨ ପଏଣ୍ଟ ହ୍ରାସ ପାଇ ୭୮,୭୫୯ ପଏଣ୍ଟରେ ବନ୍ଦ ହୋଇଛି। ଫଳରେ ଗୋଟିଏ ଦିନରେ ଷ୍ଟକ୍ ବଜାର ନିବେଶକମାନେ ପ୍ରାୟ ୧୭ ଲକ୍ଷ କୋଟି ଟଙ୍କାର କ୍ଷତି ସହିଛନ୍ତି। ବମ୍ବେ ଷ୍ଟକ୍ ବଜାରରେ ତାଲିକାଭୁକ୍ତ ଥିବା କମ୍ପାନିଗୁଡ଼ିକର ମୋଟ ବଜାର ପୁଞ୍ଜି ପରିମାଣ ୪୪୧ ଲକ୍ଷ କୋଟି ଟଙ୍କାକୁ ହ୍ରାସ ପାଇଛି। ଗତ ଶୁକ୍ରବାର ତାହା ୪୫୭ ଲକ୍ଷ କୋଟି ଟଙ୍କା ଥିଲା। ଆଜି ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜ୍‌ର ନିଫ୍ଟି ମଧ୍ୟ ୬୬୨ ପଏଣ୍ଟ ହ୍ରାସ ପାଇ ୨୦,୦୫୫ ପଏଣ୍ଟରେ ବନ୍ଦ ହୋଇଛି। ନିବେଶକମାନେ ରିଅଲ ଇଷ୍ଟେଟ୍‌, ଧାତବ, ସରକାରୀ ବ୍ୟାଙ୍କ, ଗଣମାଧ୍ୟମ, ଅଟୋମୋବାଇଲ୍‌, ଆଇଟି ଏବଂ ତୈଳ ଓ ଗ୍ୟାସ୍‌ କ୍ଷେତ୍ରର କମ୍ପାନିଗୁଡ଼ିକର ସେୟାର ଅଧିକ ବିକିଛନ୍ତି। ସେନ୍‌ସେକ୍ସରେ ଟାଟା ମୋଟର୍ସ, ଆଦାନି ପୋର୍ଟ, ଟାଟା ଷ୍ଟିଲ୍‌, ଷ୍ଟେଟ୍‌ ବ୍ୟାଙ୍କ ଓ ପାୱାର ଗ୍ରିଡ୍‌ର ସେୟାର ଅଧିକ ହ୍ରାସ ପାଇଛି।

Please follow and like us:

Leave a Reply

Your email address will not be published. Required fields are marked *