ନୂଆଦିଲ୍ଲୀ: ଆମେ ବ୍ୟବହାର କରୁଥିବା ଇଲେକଟ୍ରୋନିକ୍ସ ସାମଗ୍ରୀରୁ ପ୍ରଚୁର ପରିମାଣରେ ବର୍ଜ୍ୟ ସାମଗ୍ରୀ ବାହାରିଥାଏ। ଏହି ଇ-ବର୍ଜ୍ୟ ମନୁଷ୍ୟ ଶରୀର ପାଇଁ ବେଶ ହାନୀକାରକ। ଇ-ବର୍ଜ୍ୟ ବୃଦ୍ଧି କ୍ଷେତ୍ରରେ ଭାରତ ସାରା ବିଶ୍ୱରେ ୫ମ ସ୍ତାନରେ ରହିଛି। କମ୍ପ୍ୟୁଟର ସ୍କ୍ରିନ, ଅନ୍ୟ ଇଲେକ୍ଟ୍ରେନିକ୍ସ ଡିଭାଇସ୍, କ୍ଷୁଦ୍ର ଆଇଟି ଏବଂ ଟେଲିକମ୍ୟୁନିକେଶନ କ୍ଷେତ୍ରରୁ ସୃଷ୍ଟି ହେଉଥିବା ଇ-ବର୍ଜ୍ୟ ୧୦ ବର୍ଷରେ ୧୬୩% ବୃଦ୍ଧି ହୋଇଛି। ୨୦୧୦ରୁ ୨୦୨୨ ମସିହା ମଧ୍ୟରେ ଇ-ବର୍ଜ୍ୟ ପିମାଣରେ ବେଶ ବୃଦ୍ଧି ହୋଇଥିବା ଜାତିସଂଘର ଟ୍ରେଡ ଆଣ୍ଡ ଡେଭଲପମେଣ୍ଟ (ୟୁଏନ୍ସିଟିଏଡି) ଡିଜିଟାଲ ଇକୋନୋମି ରିପୋର୍ଟ ୨୦୨୪ରେ କୁହାଯାଇଛି।
ସିଙ୍ଗଲ ୟୁଜ ପ୍ଲାଷ୍ଟିକ ବ୍ୟବହାରକୁ ସମ୍ପୂର୍ଣ୍ଣ ବନ୍ଦ କରିଛି ଆମାଜନ:-
ବବଲ ରାପ୍,ଏୟାର ପିଲୋ, ପେପର କୁସନ ବ୍ୟବହାର ଦ୍ୱାରା ଏହା ପ୍ଲାଷ୍ଟିକ ପ୍ୟାକେଜିଂ ମ୍ୟାଟେରିଆଲ ବ୍ୟବହାର ବନ୍ଦ କରିଛି। ସେହିଭଳି ଜ୍ୟାପ୍ ଇଲେକ୍ଟ୍ରିକ ଭଳି ଲାଷ୍ଟ ମାଇଲ ଡେଲିଭରି କମ୍ପାନି ଘରୋଇ ବଜାରରେ ଇସ୍କୁଟର ଦ୍ୱାରା ସାମଗ୍ରୀ ଲୋକଙ୍କ ନିକଟରେ ପହଞ୍ଚାଉଛି। ରିପୋର୍ଟ ମୁତାବକ, ୨୦୨୩ରେ ସାରା ବିଶ୍ୱର ମୋବାଇଲ ଟ୍ରାଫିକ କ୍ଷେତ୍ରରେ ଉତ୍ତର ପୂର୍ବ ଏସିଆର ଅଂଶ ଏକ ତୃତୀୟାଂଶ ରହିଛି। ଭୁଟାନ,ଭାରତ ଏବଂ ନେପାଳ ଭଳି ଦେଶ ଗୁଡିକ ଏହି ତାଲିକାରେ ରହିଛନ୍ତି। ୨୦୨୯ ବେଳକୁ ବିଶ୍ୱର ୫ଜି ସବସ୍କ୍ରିପଶନ ୫୦୦ କୋଟି ଟପିବ ବୋଲି ଆକଳନ କରାଯାଇଛି। ଯାହା ମୋଟ ମୋବାଇଲର ୬୦% ଅଂଶ ହାସଲ କରିବ। ବିଶେଷ କରି ଦକ୍ଷିଣ ପୂର୍ବ ଏସିଆରେ ଅଭିବୃଦ୍ଧି ଏ କ୍ଷେତ୍ରକୁ ଯୋଗଦାନ ଦେବ। ଚାଇନା ଆଗର ରହିବାକୁ ଥିବାବେଳେ ଭାରତ ଏହା ପଛରେ ରହିବ।
ଇ-ବର୍ଜ୍ୟ ସୃଷ୍ଟି କ୍ଷେତ୍ରରେ ସାରା ବିଶ୍ୱରେ ଭାରତର ଅଂଶ ୨ ଗୁଣ ବୃଦ୍ଧି ହୋଇଛି। ଅର୍ଥାତ ଭାରତ ପୂର୍ବ ଅପେକ୍ଷା ଅଧିକ ଇ-ବର୍ଜ୍ୟ ନିର୍ଗତ କରୁଛି। ୨୦୧୦ରେ ଏହାର ପରିମାଣ ୩.୧% ସ୍ତରରେ ଥିରହିବାବେଳେ ୨୦୨୨ରେ ଏହା ୬.୪%କୁ ବୃଦ୍ଧି ହୋଇଛି। ରିପୋର୍ଟ ଅନୁଯାୟୀ, ୨୦୨୨ରେ ଏସିଆର ଅଭିବୃଦ୍ଧିକାରୀ ଅର୍ଥନୀତିଥିବା ରାଷ୍ଟ୍ରଗୁଡିକ ଅଧିକ ମାତ୍ରାରେ ଇ-ବର୍ଜ୍ୟ ନିର୍ଗତ କରିଛନ୍ତି। ଏସୀୟ କ୍ଷେତ୍ରରୁ ନିର୍ଗତ ଇ-ବର୍ଜ୍ୟ କ୍ଷେତ୍ରରେ ଚୀନର ଅଂଶ ପ୍ରାୟ ଅଧା ରହିଛି। ଏହି ରିପୋର୍ଟରେ ଇ-ବର୍ଜ୍ୟ ଯୋଗୁ ବିଶ୍ୱ ସାମ୍ନା କରୁଥିବା ସମସ୍ୟା ସମ୍ପର୍କରେ ମଧ୍ୟ ଉଲ୍ଲେଖ କରାଯାଉଛି। ଡିଜିଟାଲିକରଣ କ୍ଷେତ୍ରରେ ବ୍ୟବହୃତ ସାମଗ୍ରୀ ଗୁଡିକର ଠିକ୍ ପରିଚାଳନା ନ ହେଲେ ଏହା ପରିବେଶ ଏବଂ ମାନବ ସମାଜ ଲାଗି ସ୍ୱାସ୍ଥ୍ୟ ସଙ୍କଟ ଡାକି ଆଣିବ ବୋଲି ରିପୋର୍ଟରେ ଆଶଙ୍କା ପ୍ରକାଶ ପାଇଛି। ଏଭଳି ସାମଗ୍ରୀରୁ ବାହାରୁଥିବା ହାନିକାରକ ଆର୍ସେନିକ, କାଡ୍ଡିୟମ, ଲିଡ୍ ଏବଂ ମରକ୍ୟୁରୀ ସମେତ ଅନ୍ୟ ବିଷାକ୍ତ ପଦାର୍ଥ ସମସ୍ୟା ସୃଷ୍ଟି କରୁଥିବା ଏଥିରେ କୁହାଯାଇଛି। ତେବେ ପରିବେଶକୁ କ୍ଷତି ପହଞ୍ଚାଉଥିବା ପ୍ରଡକ୍ଟ ପ୍ୟାକେଜିଂ ଏବଂ ବର୍ଜ୍ୟବସ୍ତୁ ପରିଚାଳନା କ୍ଷେତ୍ରରେ ଭାରତର ଉଦ୍ୟମକୁ ୟୁଏନ୍ସିଟିଏଡି ବେଶ ପ୍ରଶଂସା କରିଛି। ଭାରତ ଏ କ୍ଷେତ୍ରରେ ପରିବେଶ ଉପଯୋଗୀ ପରିବହନ ଏବଂ ଡେଲିଭରି ବ୍ୟବସ୍ଥା ହାତକୁ ନେଉଛି ବୋଲି କହିଛି ଜାତିସଂଘ।